ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ବିଜେଡିରେ ଲବି ରାଜନୀତି । ଜୀବନ ପ୍ରଦୀପ ଦାସ ଓ ରବୀନ୍ଦ୍ର ଜେନା ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା । ଏପଟେ ମାନସ ଦତ୍ତଙ୍କୁ ମୈଦାନକୁ ଓହ୍ଲାଇ ସହାନୁଭୂତିର ଭୋଟ ହାତେଇପାରେ ବିଜେପି

391

କନକ ବ୍ୟୁରୋ : ବାଲେଶ୍ୱର ସଦର ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଗଲାଣି ଲବି ରାଜନୀତି । ଜୀବନ ପ୍ରଦୀପ ଦାସ ଓ ରବିନ୍ଦ୍ର ଜେନାଙ୍କ ଗୋଷ୍ଠୀ ଭିତରେ ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ଲବି ଜୋରଦାର ହୋଇଥିବା ଜଣାପଡିଛି । ଏପରିକି ଦୁଇ ଗୋଷ୍ଠୀ ଭିତରେ ଲାଗିରହିଛି ଛକାପଞ୍ଝା । ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ପହଞ୍ଚିବା ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିବା ସୂଚନା ମିଳିଛି ।

୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି । ଆଗାମୀ ନଭେମ୍ବରରେ ଉପନିର୍ବାଚନ ହେବା ନେଇ ସଂକେତ ମିଳିବା ପରେ ବିଜେଡିର ଦୁଇ ଗୋଷ୍ଠୀ ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ନିଜ ନିଜ ପ୍ରକ୍ରିୟାରେ ଲବି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଏହି ଆସନରୁ ତିନିତିନିଥର ବିଜୟୀ ହୋଇଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ଅନ୍ୟପଟେ ୨୦୧୯ ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ଜେନା ।

ତେବେ ଗତଥର ବିଜେପି ଏହି ଆସନ ଛଡାଇ ନେଇଥିବାରୁ ପୁଣିଥରେ କବଜା କରିବାକୁ ସମସ୍ତ କଳକୌଶଳ ଲଗାଇ ଦେଇଛି ବିଜୁ ଜନତା ଦଳ । ଫାଟକୁ ପ୍ୟାଚଅପ କରିବା ପାଇଁ ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା ଉଭୟ ଗୋଷ୍ଠୀଙ୍କୁ ନେଇ ବୈଠକ କରିଛନ୍ତି । ତେବେ ଦଳ ଭିତରେ କୌଣସି କନ୍ଦଳ ନଥିବା କହିଥିବା ବେଳେ ଦଳର ସୁପ୍ରିମୋଙ୍କ ମୋହର ପରେ ଖୁବଶୀଘ୍ର ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ।

ଏହାରି ଭିତରେ ବିଜେପି ନିଜ କବଜାରେ ଏହି ଆସନକୁ ରଖିବା ପାଇଁ ମାନଓ ମନ୍ଥନ ଆରମ୍ଭ କରିଦେଇଛି । କାହାକୁ ପ୍ରାର୍ଥୀ କରାଯିବ ସେଥିପାଇଁ ଏକ କମିଟି ଗଠନ କରି ଚାଲିଛି ବିଚାର ବିମର୍ଶ । ଗତ ଦୁଇଦିନ ତଳେ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଜିଲ୍ଲା ସଂଯୋଜକ ଦାୟିତ୍ୱ ଦିଆଯାଇଛି । ତେଣୁ ମାନସଙ୍କୁ ମୈଦାନକୁ ଓହ୍ଲାଇ ଅନୁକମ୍ପା ମୂଳକ ଭୋଟ ହାତେଇବା ପାଇଁ ବିଜେପି ରଣନୀତି କରିପାରେ ବୋଲି ଆକଳନ କରାଯାଉଛି ।

ସେହିପରି କଂଗ୍ରେସ ମଧ୍ୟ ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ କହିବା ହେଲା ବାଲେଶ୍ୱର ସଦର ଆସନ ପାଇଁ ଦଳ ତାର ପ୍ରାର୍ଥୀ ଚୟନ ଚାଲିଛି । ୨୦୧୯ ନିର୍ବାଚନରେ ଦଳର ଲୋକସଭା ପ୍ରାର୍ଥୀ ଥିବା ନବଜ୍ୟୋତି ପଟ୍ଟନାୟଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତି କରିସାରିଛି ।