ପଞ୍ଜାବ ବଜେଟ୍ ଅଧିବେଶନରେ ଚାଷୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ୧.୧୩ ଲକ୍ଷ କୃଷକଙ୍କୁ ଋଣ ଛାଡ, ସରକାରୀ ବସ୍ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା

726

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ତାଙ୍କ କାର୍ଯ୍ୟକାଳର ଶେଷ ବଜେଟ୍ ଆଜି ଉପସ୍ଥାପନ କରିଛନ୍ତି । ଏନେଇ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଅନେକ ଲୋକାଭିମୁଖୀ ଯୋଜନାର ଘୋଷଣା କରିଛନ୍ତି । ଯାହା ମଧ୍ୟରେ ରାଜ୍ୟସରକାରୀ କର୍ମଚାରୀଙ୍କୁ ଷଷ୍ଠ ବେତନ ସହିତ ମହିଳା ମାନଙ୍କ ପାଇଁ ସରକାରୀ ବସ୍ ରେ ମାଗଣା ଯାତ୍ରା ଭଳି ଲୋକପ୍ରିୟ ଯୋଜନା ରହିଛି । ଅନ୍ୟପଟେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ରାଶିକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟରେ ଏହି ଯୋଜନାରେ ସହାୟତା ପାଉଥିବା ଲୋକମାନେ ମାସିକ ୧୫ ଶହ ଟଙ୍କା ପାଇବେ ।
ଏସବୁ ପରେ ପଞ୍ଜାବ ସରକାର ଚାଷୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ମନପ୍ରୀତ ସିଂ କହିଛନ୍ତି କି ରାଜ୍ୟର ୧.୧୩ ଲକ୍ଷ ଚାଷୀଙ୍କୁ ୧୧୮୬ କୋଟି ଟଙ୍କାର ଋଣଛାଡ କରାଯିବ । ଏହାସହ ଭୂମିହୀନ କୃଷକ ମାନଙ୍କୁ ଆର୍ଥିକ ବର୍ଷ ୨୦୨୧-୨୨ ରେ ୫୨୬ କୋଟି ଟଙ୍କାର ଋଣଛାଡ କରାଯିବ । ହେଲେ କେଉଁ ଚାଷୀ ଓ କେଉଁ କିଷମର ଋଣ ଉପରେ କେତେ ଛାଡ ପାଇବେ ତାହା ବଜେଟ୍ ଅଧିବେଶନରେ ଘୋଷଣା କରାଯାଇ ନାହିଁ ।

କହିରଖୁ କି ଦେଶରେ ୧୦୦ ଦିନରୁ ଅଧିକ ହେବ ଚାଲିଥିବା କୃଷକ ଆନ୍ଦୋଳନରେ ପଞ୍ଜାବର ଚାଷୀ ମାନେ ନେତୃତ୍ୱ ନେଉଥିବା ବେଳେ ଏହାକୁ ଖୋଲା ଖୋଲି ସମର୍ଥନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏନେଇ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ବି କରିଛନ୍ତି । ଅନ୍ୟପଟେ ୨୦୨୨ ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟର ଚାଷୀ ମାନଙ୍କୁ ଋଣଛାଡ କରିଥିବା ବିରୋଧୀ ମାନେ ଅଭିଯୋଗ କରିଛନ୍ତି ।