ବଢୁଛି ମୁଣ୍ଡପିଛା ଋଣଭାର, ଦଶବର୍ଷରେ ଦୁଇଗୁଣାରୁ ଅଧିକ ବଢିଲା । ଜାଣନ୍ତୁ ପ୍ରତି ମୁଣ୍ଡପିଛା ଋଣଭାର କେତେ?

267

କନକ ବ୍ୟୁରୋ : ରାଜ୍ୟର ଋଣଭାର କେତେ? ପ୍ରତି ମୁଣ୍ଡପିଛା ଋଣ  କେତେ ରହିଛି । ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି । ଏଭଳି କିଛି ତଥ୍ୟ ବାବଦରେ ପୂରା ତଥ୍ୟ ଆଜି ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌମରଞ୍ଜନ ପଟ୍ଟନାୟକ ।  ଆଉ ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅର୍ଥମନ୍ତ୍ରୀ କହିଛନ୍ତି,  ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା ହେବ। ୨୦୧୧ -୧୨ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିବା ବେଳେ  ୨୦୨୧-୨୨ ରେ ୨୩୭୬୧.୮୩  ଟଙ୍କାରେ ପହଞ୍ଚିଛି ।  ଅଥାର୍ତ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର ଦୁଇଗୁଣାରୁ ଅଧିକ ହୋଇଛି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ରହିଛି । ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ ।