କିଏ ୮ ଥର ତ କିଏ ୯ ଥର ହୋଇଛନ୍ତି ସାଂସଦ, କେବେ ବି ଲୋକସଭା ନିର୍ବାଚନ ହାରି ନାହାଁନ୍ତି ଏହି ରାଜନେତା

479

କନକ ବ୍ୟୁରୋ : ସ୍ୱାଧୀନତା ପରେ ଦେଶରେ ଏପର୍ଯ୍ୟନ୍ତ ୧୭ ଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଦେଶ ଅନେକ ବରିଷ୍ଠ ନେତାଙ୍କୁ ଦେଖିଛି । ଏହି ନେତା ମାନଙ୍କ ମଧ୍ୟରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ କି କେବେ ବି ଲୋକସଭା ନିର୍ବାଚନରେ ପରାଜିତ ହୋଇନାହାଁନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ନେତାଙ୍କ ବାବଦରେ ।


ଏହି ନେତାମାନଙ୍କ କଥା ଆଲୋଚନା କଲେ ପ୍ରଥମ ନାମ ଆସିବ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ କଥା । ସେ ଏବେ ସକ୍ରିୟ ନଥିଲେ ବି ଗୋଟିଏ ସମୟରେ ସେ ଦେଶର ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଲାଲକୃଷ୍ଣ ଆଡଭାନୀ ତାଙ୍କ ଜୀବନର ପ୍ରଥମ ଲୋକସଭା ନିର୍ବାଚନ ୧୯୮୯ ମସିହାରେ ଲଢିଥିଲେ । ଏହି ନିର୍ବାଚନରେ ବିଜୟଲାଭ କରି ସେ ସଂସଦରେ ପହଂଚିଥିଲେ । ଏହାପରେ ସେ କ୍ରମାଗତ ଭାବେ ୧୯୯୧,୧୯୯୮.୧୯୯୯,୨୦୦୪, ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।


ଲୋକସଭାର ବାଚସ୍ପତି ଥିବା ସୁମିତ୍ରା ମହାଜନ ବି କେବେ ଲୋକସଭା ନିର୍ବାଚନରେ ପରାଜିତ ହୋଇ ନଥିଲେ । ସେ ୧୯୮୯ ରୁ ୨୦୦୪ ପର୍ଯ୍ୟନ୍ତ ୮ ଥର ନିର୍ବାଚନ ଲଢି ପ୍ରତିଥର ବିଜୟୀ ହୋଇଥିଲେ । ବିଜେପି ଟିକେଟରୁ ପ୍ରାର୍ଥୀ ହେଉଥିବା ସୁମିତ୍ରା ମହାଜନ ୧୯୮୯, ୧୯୯୧, ୧୯୯୬,୧୯୯୮, ୨୦୦୪, ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସେ କ୍ରମାଗତ ଭାବେ ବିଜୟୀ ହୋଇ ସଂସଦକୁ ଆସିଥିଲେ । ହେଲେ କୌଣସି କାରଣ ବସତ ସେ ୨୦୧୯ ନିର୍ବାଚନ ଲଢି ନଥିଲେ ।


ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ପି.ଏ ସଂଗମା ୯ ଥର ଲୋକସଭାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ବି ତାଙ୍କ ରାଜନୈତିକ ଜୀବନ କାଳରେ କେବେ ବି ଲୋକସଭା ନିର୍ବାଚନ ହାରି ନାହାଁନ୍ତି । ସଂଗମା ୧୯୭୭,୧୯୮୦,୧୯୮୪, ୧୯୯୧,୧୯୯୬,୧୯୯୮,୧୯୯୯, ୨୦୦୪, ଓ ୨୦୧୪ ରେ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ । ସାଂସଦ ରହିଥିବା ବେଳେ ୨୦୧୬ ରେ ତାଙ୍କର ମୃତ୍ୟୁ ହୋଇଥିଲା  । ଏବେ ତାଙ୍କର ଝିଅ ଅଗଥା ସଂଗମା ବାପାଙ୍କ ରାଜନୈତିକ ଉତ୍ତରଦାୟିତ୍ୱ ସମ୍ଭାଳିଛନ୍ତି ।


ଜବାହରଲାଲ ନେହେରୁ କ୍ୟାବିନେଟରେ ସବୁଠାରୁ ଯୁବମନ୍ତ୍ରୀ ଥିବା ବାବୁ ଜଗଜୀବନ ରାମ ବି ତାଙ୍କ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ କେବେ ବି ଲୋକସଭା ନିର୍ବାଚନ ହାରି ନାହାଁନ୍ତି । ଜଗଜୀବନ ରାମ ୧୯୫୨ ରୁ ୧୯୮୪ ମଧ୍ୟରେ ୭ ଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି ।