ଭାଙ୍ଗୁଛି ଲୋକ ଜନଶକ୍ତି ପାର୍ଟି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦାହେଲେ ଚିରାଗ । ପାଟନାର ଏଲଜେପି କାର୍ଯ୍ୟାଳୟ ଆଗରେ ସମର୍ଥକଙ୍କ ହୋ ହାଲ୍ଲା

554

କନକ ବ୍ୟୁରୋ : ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନଙ୍କୁ ସଂସଦୀୟ ଦଳର ନେତା ପଦ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଚିରାଗଙ୍କ କକା ପଶୁପତି କୁମାର ପାରସଙ୍କ ସମର୍ଥିତ ନେତାମାନେ ଏଲଜେପି ସମ୍ବିଧାନର ଦ୍ୱାହୀ ଦେଇ ଚିରାଗଙ୍କୁ ଏସବୁ ପଦରୁ ହଟାଇ ଦେଇଛନ୍ତି । ସେମାନେ କହିଛନ୍ତି କି ଚିରାଗ ଏଳାସାଙ୍ଗରେ ୩ ଟି ପଦକୁ ଅକ୍ତିଆର କରି ବସିଥିଲେ । ଏପଟେ କୁହାଯାଇଛି କି ପଶୁପତି କୁମାର ପାରସ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ଅନ୍ୟପଟେ ଏସବୁ କନ୍ଦଳ ଭିତରେ ଚିରାଗ ପାସୱାନ ପାଟନା ଠାରେ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି । ସେଠାରେ ଚିରାଗଙ୍କ ସମର୍ଥକମାନେ ପଶୁପତିଙ୍କ ବିରୋଧରେ ନାରାବାଜି କରିବା ସହ ହୋ ହାଲ୍ଲା କରିଛନ୍ତି ।

ଏହି ବୈଠକ ପୂର୍ବରୁ ଚିରାଗ ପଶୁପତିଙ୍କ ନାମ ନନେଇ ଏକ ଭାବୁକ ଟ୍ୱିଟ୍ ପୋଷ୍ଟ କରିଥିଲେ । ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ ଯେ ବାପାଙ୍କ ଦେହାନ୍ତ ପରେ ତୁମର ବ୍ୟବହାର ବଦଳି ଯାଇଛି । ମୁଁ ପାର୍ଟି ଓ ପରିବାରକୁ ସାଥିରେ ରଖିବାକୁ ଅସଫଳ ହୋଇଛି । ଏହାହସ ଏକ ପୁରୁଣା ଚିଠି ବି ଚିରାଗ ଟ୍ୱିଟ୍ ସହିତ ଯୋଡି ଥିଲେ । ସେ ତାଙ୍କ ଟ୍ୱିଟରେ ଆହୁରି ଲେଖିଥିଲେ କି ବାପା ତିଆରି କରିଥିବା ପାର୍ଟି ଓ ପରିବାରକୁ ମୁଁ ସାଙ୍ଗରେ ରଖିବାକୁ ବହୁତ ପ୍ରୟାସ କରିବା ପରେ ବି ଅସଫଳ ହେଲି । ପାର୍ଟି ମା ଭଳି , ତା ସହିତ ଧୋକ୍କା ଦେବା ମୋ ପକ୍ଷରେ ସମ୍ଭବ ନୁହେଁ । ପାର୍ଟିରେ ବିଶ୍ୱାସ ରଖିଥିବା ଲୋକଙ୍କୁ ମୂଁ ଧନ୍ୟବାଦ ଦେଉଛି ବୋଲି ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

ପାର୍ଟି ଭିତରେ ଲାଗି ରହିଥିବା କନ୍ଦଳ ପଛରେ କାରଣ ଭାବେ ଦର୍ଶାଯାଉଛି କି, ବାପା ରାମବିଳାଶ ପାସୱାନଙ୍କ ମୃତ୍ୟୁ ପରେ ଚିରାଗ ଏକା ଏକା ଦଳୀୟ ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ସେ ଦଳର ନେତା ଓ ସାଂସଦ ମାନଙ୍କୁ କୌଣସି କଥାରେ ପଚାରୁ ନାହାନ୍ତି ।