ଅସହାୟ ଅବସ୍ଥାରେ ୪ ପିଲାଙ୍କ ସହ ବାସନ୍ତି । କେବେ ପଡିବ ପ୍ରଶାସନର ନଜର?

91

କନକ ବ୍ୟୁରୋ: ୫ ପାଞ୍ଚଟା ଛୋଟ ଛୁଆ, ସାହା ବୋଲି କେହି ନାହିଁ । ବାପା ଆରପାରିକୁ ଚାଲିଗଲା ପରେ ଏମାନଙ୍କ ପାଇଁ ମା’ ହିଁ ସବୁ କିଛି । ଘୋର ଅଭାବରେ ମା’ ମାଗିଯାଚି ଏମାନଙ୍କୁ ବଞ୍ଚାଇରଖିଛି । ହେଲେ ଏତେ ଦୁଃଖ ଭିତରେ ରହିଥିବା ଏ ପରିବାର ଉପରେ ପ୍ରଶାସନର ନଜର ପଡୁନାହିଁ ଯାହା ସବୁଠୁ କ୍ଷୋଭର ବିଷୟ ।

କାମାକ୍ଷାନଗର କଙ୍କଡାହାଡ ବ୍ଲକ ଝିଲି ଗାଁର ରୁହନ୍ତି ବାସନ୍ତି ଦେହୁରୀ । ଦେଢ ବର୍ଷ ପୂର୍ବରୁ ସ୍ୱାମୀ ନଳିନ ଦେହୁରୀ ବାଟ କାଟି ଆରପାରିକୁ ଚାଲିଗଲେ । ବାସନ୍ତିଙ୍କ ମୁଣ୍ଡରେ ଏବେ ୪ କୁନି କୁନି ପିଲାଙ୍କ ବୋଝ । ସକାଳ ହେଲେ ପେଟ ଚିନ୍ତା । କାହା ଘରେ ଟିକେ ପାଇଟି କଲେ ଯିଏ ଯାହା ହାତ ଟେକି ଦିଅନ୍ତି ସେଥିରେ ପେଟ ପୁରେ । କାରଣ ସରକାର ମାସକୁ ବାସନ୍ତିଙ୍କୁ ଯେଉଁ ୫ କିଲୋ ଚାଉଳ ଦିଅନ୍ତି ତାହା ତ ୫ ପ୍ରାଣୀ ପେଟକୁ ସମୁଦ୍ରକୁ ଶଂଖେ ପରି । କେବଳ ବାସନ୍ତିଙ୍କୁ ଯାହା ୫ କେଜି ପିଡିଏସ୍ ଚାଉଳ ମିଳୁଛି ୧୦/୧୧ ଦିନରେ ସେତକ ଶେଷ । ତା ପରେ ଅଧା ଦିନ ଉପାସ । ଯିଏ ହାତ ଟେକିଦେଲେ ପେଟରେ ଦିଟା ଦାନା ପଡେ ନହେଲେ ନାହିଁ, ଯାହା ଏଇ ପଖାଳ କଂସା ଆଉ ଲଙ୍କାଲୁଣ ଚକଡା ଗିନାକୁ ଦେଖିଲେ ଆପଣ ସହଜେ ଅନୁମାନ କରୁଥିବେ ।

ତାଛଡା ବାସନ୍ତିଙ୍କ କୌଣସି ପିଲାଙ୍କର ଆଧାରକାର୍ଡ ନଥିବାରୁ ତାଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳୁନି । ଆଉ ଘର କଥା ତ ନକହିବା ଭଲ । ଅନାବାଦୀ ଜାଗାରେ ଝାଟିମାଟି ଘର ଖଣ୍ଡେ କରି ମୁଣ୍ଡ ଗୁଂଜିଛନ୍ତି ମା, ପିଲା ୫ଜଣ । ଝଡବର୍ଷା ହେଲେ ଏମାନଙ୍କୁ ଭାରି ଡର । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବାସନ୍ତିଙ୍କ ଦୁଃଖ ଜାଣିବା ପରେ ସେମାନଙକୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । କେବଳ ବାସନ୍ତି ନୁହଁନ୍ତି ତାଙ୍କ ଭଳି ଅନେକ ଏଭଳି ଅସହାୟ ଅବସ୍ଥାରେ ଜୀବନ କାଟୁଥିଲେ ବି ପ୍ରଶାସନର ନଜର ସେମାନଙ୍କ ଉପରେ ନପଡିବା ବାସ୍ତବରେ କ୍ଷୋଭର ବିଷୟ ।