ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ ।

592

କନକ ବ୍ୟୁରୋ : ଓଡିଶାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢା । କରୋନାରେ ସ୍କୁଲ ଖୋଲିବାରେ ଅନିଶ୍ଚିତତା ଦେଖାଦେବାରୁ ଅନଲାଇନ୍ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ଏହା କେତେଦୂର ସବୁ ଅଂଚଳରେ ପହଂଚି ପାରୁଛି, କେତେ ଛାତ୍ରଛାତ୍ରୀ ଏହାର ସୁଫଳ ପାଉଛନ୍ତି, କନକ ନ୍ୟୁଜ ଏହାର ଅନୁସନ୍ଧାନ କରିଛି ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଚିତ୍ର ଅନେକ କଥା ବୟାନ କରୁଛି । ପାଠପଢା ପାଇଁ ଦୂରଦୂରାନ୍ତରର ଏ ସବୁ ଗାଁରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ରହିଛି, କିନ୍ତୁ ସମ୍ବଳର ଅଭାବ । ମୋବାଇଲ ନାହିଁ , ତେଣୁ ଗୋଟିଏ ମୋବାଇଲରୁ ୩-୪ ଜଣ ସାଙ୍ଗ ଏକାଠି ପଢୁଛନ୍ତି ।

କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ହୋଇଯାଇଥିବାବେଳେ ପ୍ରଥମ କରି ଏଭଳି ଏକ ଉଦ୍ୟମ ଆରମ୍ଭ ହୋଇଛି । ଜୟପୁରରେ ଜଣେ ଛାତ୍ରୀ ସାଙ୍ଗ ଘରକୁ ଆସିଛନ୍ତି, କାରଣ-ସାଙ୍ଗ ପାଖରେ ମୋବାଇଲ ଅଛି । ଏବଂ ଦୁଇଜଣ ମିଶି ଏକାଠି ପଢୁଛନ୍ତି ।

ୟୁଟ୍ୟୁବ ମାଧ୍ୟମରେ ଏଭଳି ଶିକ୍ଷାଦାନ ଓଡିଶାରେ ପ୍ରଥମ ଘଟଣା । କେତେ ପ୍ରତିଶତ ପିଲା ଏହା ମାଧ୍ୟମରେ ପାଠ ପଢିପାରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ତ ସ୍ୱାଭାବିକ । କିନ୍ତୁ କିଛି ମାତ୍ରାରେ ପାଠପଢା ଆରମ୍ଭ ହୋଇଛି ।

କିନ୍ତୁ ଓଡିଶାରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଏହି ଶିକ୍ଷାଦାନ ବ୍ୟବସ୍ଥା ଆଦୌ ପହଂଚିପାରିନାହିଁ । ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ବ୍ୟବସ୍ଥାକୁ ଅନେକ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଧ୍ୟାନ ରଖିବା ଉଚିତ ଯେ, ଅଧା ଓଡିଶା ପାଖରେ ଏହା ପଂହଚିପାରୁନାହିଁ । ତେଣୁ ତାଙ୍କୁ ମଧ୍ୟ ସାଥୀରେ ନେବା ପାଇଁ ଯୋଜନା କରନ୍ତୁ ।