ଲିଭ୍-ଇନ୍ ରିଲେସନସିପରେ ସମ୍ପର୍କ ଖରାପ ହେଲେ, ବଳାତ୍କାର ଅଭିଯୋଗ ହୋଇପାରିବନି : ସୁପ୍ରିମକୋର୍ଟ 

210

କନକ ବ୍ୟୁରୋ: ଯଦି ଦୁଇଜଣ ପୁଅ ଏବଂ ଝିଅ ଏକା ସାଙ୍ଗରେ ରହୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସମ୍ପର୍କ ଖରାପ ହେଉଛି, ତେବେ ସେହି ପୁଅ ବିରୋଧରେ ଝିଅ ଜଣକ ବଳାତ୍କାର ଅଭିଯୋଗ ଆଣିପାରିବେ ନାହିଁ । ସୁପ୍ରିମକୋର୍ଟ ପୁଣିଥରେ ଏପରି କିଛି କଥା ସାମ୍ନାକୁ ଆଣିଛନ୍ତି ।

ଅସଲ କଥା ହେଉଛି, ଅଧିକାଂଶ ସମୟରେ ଦେଖାଯାଉଛି ଜଣେ ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ରହୁଛନ୍ତି । ହେଲେ ଯେତେବେଳେ ସେମାନଙ୍କର କୌଣସି କାରଣରୁ ବିଚ୍ଛେଦ ହେଉଛି, ସେତେବେଳେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣୁଛନ୍ତି । ବିବାହର ପ୍ରଲୋଭନ ଦେଖାଇ ପୁରୁଷ ଜଣକ ତାଙ୍କୁ ଦୁଷ୍କର୍ମ କରୁଥିବା ସେ ଅଭିଯୋଗ କରୁଛନ୍ତି । ହେଲେ ଏପରି ଘଟଣାରେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଜଣେ ମହିଳା ଓ ପୁରୁଷ ଦୀର୍ଘ ୪ ବର୍ଷ ଧରି ବିବାହ ନକରି ମଧ୍ୟ ଏକାଠି ରହୁଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା । ହେଲେ କୌଣସି କାରଣରୁ ତାଙ୍କର ବିଚ୍ଛେଦ ହେବା ପରେ ମହିଳା ଜଣକ ଉକ୍ତ ପୁରୁଷଙ୍କ ବିରୋଧରେ ବଳାତ୍କାରର ଅଭିଯୋଗ ଆଣିଥିଲେ । ଏହି ମାମଲା ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ଯେଉଁଥିରେ ମାନ୍ୟବର ହାଇକୋର୍ଟ ଉକ୍ତ ପୁରୁଷଙ୍କର ଜାମିନ୍ ଆବେଦନକୁ ନାକଚ କରିଦେଇଥିଲେ ।

ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ସହିତ ଗୁରୁବାର ଏହାର ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଏହି ମାମଲାକୁ ବଳାତ୍କାର ବୋଲି ଗ୍ରହଣ କରିବାକୁ ମନା କରିବା ସହିତ ଉକ୍ତ ପୁରୁଷଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏଥିସହିତ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଦୁଇ ଜଣ ମହିଳା ପୁରୁଷ ଏକାଠି ରହୁଛନ୍ତି । ଏବଂ ପରେ ସେମାନଙ୍କର ସମ୍ପର୍କ ଖରାପ ହେଉଛି, ତେବେ ମହିଳା ଜଣକ ପୁରୁଷ ଜଣଙ୍କ ବିରୋଧରେ ବଳକ୍ରାର ମକୋଦ୍ଦମା କରିପାରିବେ ନାହିଁ ।