୧୦ ଦିନ ବ୍ୟବଧାନରେ ଚାଲିଗଲେ ବାପାମାଆ, ଲିଭିଗଲା ୨ ଜଣଙ୍କ ଜୀବନଦୀପ । ଅନାଥ ହୋଇଗଲେ ୨ ଭାଇଭଉଣୀ ।

339

କନକ ବ୍ୟୁରୋ: ଆଗେଆଗେ ମାଆ, ପଛେପଛେ ବାପା । ଏକାକରି ସପାରିକୁ ଚାଲିଗଲେ ବାପାମାଆ । ଅନାଥ ହୋଇଗଲେ ୨ ଭାଇଭଉଣୀ । ଘରେ ପଡିଛି ବାପାଙ୍କ ଶବ । ବାହାରେ ବନ୍ଧା ଚାଲିଛି ବାପାଙ୍କ ପାଇଁ କୋକେଇ । ବାପା ସିନା ଶୋଇଛନ୍ତି ହେଲେ ଦେହରେ ଯେ ଆଉ ଜୀବନ ନାହିଁ ତାହା ଘର ଲୋକଙ୍କ କାନ୍ଦ ବୋବାଳି ଆଉ ବାହାରେ ସଜଡାଯାଉଥିବା କୋକେଇ ଦେଖି ଅଳ୍ପବହୁତେ ବୁଝି ସାରିଲାଣି ଏ କୁନି ଝିଅ । ହେଲେ କାହାକୁ କିଛି କହି ପାରୁନି । କଣ ସବୁ ଘଟିଯାଉଛି କିଛି ବୁଝି ବି ପାରୁନି । ଏଇ ୧୦ ଦିନ ତଳେ ତା ମାଆକୁ ଏମିତି କୋକେଇରେ ବାନ୍ଧି ମଶାଣୀ ନେଇଥିଲେ ବାପା । କିନ୍ତୁ ୧୦ ଦିନ ପରେ ନିଜେ ବି ସେହି କୋକେଇରେ ଶୋଇବେ ବୋଲି କିଏ ଜାଣିଥିଲା । ମାଆ ଗଲା ପରେ ବାପା ହିଁ ଥିଲେ ଭରସା । ହେଲେ ସେ ବି ଚାଲିଗଲେ । ୧୦ ଦିନ ବ୍ୟବଧାନରେ ବାପାମାଆ ଡକାଡକି ହୋଇ ଆଖିବୁଜିବା ପରେ ଏବେ ଅନାଥ ହୋଇଯାଇଛନ୍ତି ୨ ଭାଇ ଭଉଣୀ ।

କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ସମ୍ପର୍କୀୟଙ୍କ ଛାତିଫଟା ଚିକ୍ରାର ଓ ବେଦନାଭରା ବାହୁନାରେ ବତୁରିଯାଉଛି ହୃଦୟ । ଆଗପଛ ହୋଇ ବାପା-ମାଆ ଚାଲିଯିବା ପରେ, ଦୁନିଆକୁ ବୁଝିବା ଆଗରୁ ଅନାଥ ହୋଇଗଲେ ଦୁଇ କୁନି କୁନି ପିଲା । ମାଆଙ୍କ ଦଶାହ କର୍ମ ସରିନି, କିନ୍ତୁ ବାପାଙ୍କ ଜୀବନ ଦୀପ ଲିଭିଗଲା । ଦଶତୁଠରୁ ଫେରିଥିବା ସଂପର୍କୀୟ ଘର ଆଗରେ ବାନ୍ଧିଲେ ଆଉ ଏକ କୋକେଇ । ୬ ବର୍ଷର କୁନି ଝିଅ ବାପା ହରାଇ ଲୁହ ଝରାଉଛି, ହେଲେ କିଏ ମରିଛି, କାହିଁକି କାନ୍ଦ ବୋବାଳି ପଡିଛି କିଛି ଜାଣି ପାରୁନି ୨ ବର୍ଷର ପୁଅ । ଭଦ୍ରକ ବଣିଆ ପଂଚାୟତ ପେଡାସାହି ଗାଁର ଏ ଦୁଃଖଦାୟକ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

ନରହରି ପେଡା, ଗାଡି ଚଳେଇ ଘର ଚଳାଉଥିଲେ । ସ୍ତ୍ରୀ ଯକ୍ଷ୍ମା ରୋଗରେ ପୀଡିତ ହେବା ପରେ ନରହରିଙ୍କ ପରିବାରରେ ଦୁଃଖର କଳାବାଦଲ ଘୋଟି ଆସିଲା । ପିଲାମାନଙ୍କ ଦୁଃଖ ଦ୍ରୁ୍ଦ୍ଦଶା ବଢିଗଲା । ସ୍ତ୍ରୀଙ୍କୁ ସୁସ୍ଥ କରିବାକୁ ବହୁ ଚେଷ୍ଟା କରିବା ପରେ ବି ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା । ଆଉ ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ନରହରି । ହେଲେ ନିଷ୍ଠୁର ଦଇବ ସ୍ତ୍ରୀଙ୍କ ଦଶାହ ଦିନ ସ୍ୱାମୀଙ୍କୁ ବି ନେଇଗଲା । କିଡନୀ ନଷ୍ଟ ହେବା କାରଣରୁ ନରହରିଙ୍କ ଦେହାନ୍ତ ହେଲା ଆଉ ସ୍ତ୍ରୀଙ୍କ ଦଶାହ କର୍ମ ସାରି ଫେରିଥିବା ସଂପର୍କୀୟ ସ୍ୱାମୀଙ୍କ ପାଇଁ କୋକେଇ ବାନ୍ଧି ଶ୍ମଶାନରେ ଅନ୍ତିମ ସଂସ୍କାର କରିଛନ୍ତି । ୧୦ ଦିନ ଭିତରେ ୨ ଜଣ ଆକସ୍ମିତ ମୃତ୍ୟୁ ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

ସେପଟେ ଅନାଥ ପିଲାଙ୍କ ଭବିଷ୍ୟତ ଓ ତାଙ୍କ ଲାଳନପାଳନ ନେଇ ସଂପର୍କୀୟ ଏବଂ ଗ୍ରାମବାସୀ ଚିନ୍ତାରେ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ସହୟତା ମିଳିଛି । ଏଥିସହ ଦୁଇ ପିଲାଙ୍କ ଦାୟିତ୍ୱ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସତରେ ଏମିତି କାହାଣୀ ସମସ୍ତଙ୍କ ଆଖି ଓଦା କରିଦେଇଛି ।