କାଳିଆର କୁନି ଭଉଣୀ ସାଇ ସୁକନ୍ୟାଙ୍କୁ ନେଇ ଚର୍ଚ୍ଚା : ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଥିଲେ; ଉପହାରରେ ଶ୍ରୀମନ୍ଦିର ପ୍ରଶାସନ ପଠାଇଲା…

442

କନକ ବ୍ୟୁରୋ : କାଳିଆର କୁନି ଭଉଣୀ ଭଦ୍ରକର ଷଷ୍ଠ ଶ୍ରେଣୀର ଛାତ୍ରୀ ଏସ୍ଏନ୍ ସାଇ ସୁକନ୍ୟା ମହାନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥ ପାଇଁ ରାକ୍ଷୀ ପଠାଇ ଏବେ ଚର୍ଚ୍ଚାରେ । ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବାକୁ ଏକ ଆବେଗଭରା ଚିଠି ଲେଖିଛନ୍ତି । ଯେଉଁଥିରେ ୫ ଶହ ଟଙ୍କା ମଧ୍ୟ ପଠାଇଛନ୍ତି । ବହୁ ଦୂରରୁ ସେ ତାଙ୍କ ଦୁଇ ଭାଇ ଜଗା ବଳିଆଙ୍କ ପାଇଁ ରାଖି ପଠାଇଛନ୍ତି ବୋଲି ଚିଠିରେ ଲେଖିଥିଲେ । ମୋର ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ପଠାଇଥିବା ପଇସାରେ ତାଙ୍କୁ ଲଡ଼ୁ ଖାଇବାକୁ ଦେବେ ବୋଲି ଚିଠିରେ ଲେଖିଥିଲେ ।

ତେବେ ତାଙ୍କ ଚିଠିର ପ୍ରତି ଉତ୍ତରରେ ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ତାଙ୍କୁ ଏକ ଶୁଭେଚ୍ଛା ପତ୍ର ଦିଆଯାଇଛି । ଏହା ସହିତ ମହାପ୍ରଭୁଙ୍କ ରଥକାଠ, ରଥ ଦଉଡ଼ି, ରଥ କନା ଏବଂ ନିର୍ମାଲ୍ୟ ସମ୍ବଳିତ ଏକ ପ୍ୟାକେଟ୍ ଠାକୁରଙ୍କ ଆଶୀର୍ବାଦ ସ୍ୱରୁପ ତାଙ୍କ ନିକଟକୁ ପଠାଯାଇଛି । ସେ ପଠାଇଥିବା ରାକ୍ଷୀ ଠାକୁରଙ୍କୁ ପିନ୍ଧାଇବା ବ୍ୟବସ୍ଥା ହୋଇଛି । ପଠାଇଥିବା ଟଙ୍କାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ  ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି ।