ମାଆ ମୁଁ ଡାକ୍ତର ହେବି… ଯନ୍ତ୍ରଣା ଭିତରେ ଡାକ୍ତର ହେବାର ସ୍ୱପ୍ନ ସଜାଡୁଛି କୁନି ଝିଅ । ଥାଲାସେମିଆ ରୋଗରେ ସିନା ଦେହରୁ ରକ୍ତ ସରି ସରି ଯାଉଛି ହେଲେ ମନରୁ ସରୁନି ଡାକ୍ତର ହେବାର ଆଶା । ନଇଁ ନଯାଇ ସମୟ ସହ ଝଗଡା କରି ଜୀବନକୁ ସୁନ୍ଦର କରୁଛି ନଭ୍ୟା…

1,355

କନକ ବ୍ୟୁରୋ: ଦେହରେ ରୋଗ, ରକ୍ତରେ ସ୍ୱପ୍ନ । ଯନ୍ତ୍ରଣା ଭିତରେ ଡାକ୍ତର ହେବାର ଜୁନୁନ୍ । ରୋଗକୁ ମାରିବି, ରୋଗୀ ସେବା କରିବି… ପାଠ ପଢି ମୁଁ ଡାକ୍ତର ହେବି… ପିଲା ବେଳୁ ଡାକ୍ତର ହେବାର ସ୍ୱପ୍ନ ଅନେକ ଦେଖନ୍ତି । ଜୀବନର ଲକ୍ଷ୍ୟ କଣ ପଚରାଗଲେ ଆମେ ସାଙ୍ଗେ ସାଙ୍ଗେ ଡାକ୍ତର ବୋଲି କହିଦେଉ । ଏ କୁନି ଝିଅ ବି ଠିକ ସେମିତି ଏକ ସ୍ୱପ୍ନ ନେଇ ବଞ୍ଚି ରହିଛି, ଡାକ୍ତର ହେବାର ଆଶା ନେଇ ଆଗକୁ ବଢୁଛି । କିନ୍ତୁ ଆପଣ ଭାବୁଥିବେ ସମସ୍ତେ ତ ସ୍ୱପ୍ନ ଦେଖନ୍ତି ହେଲେ ଏ ଝିଅର ସ୍ୱପ୍ନକୁ କଣ ପାଇଁ ଏତେ ଗୁରୁତ୍ୱ ଦିଆଯାଉଛି ? କଣ ପାଇଁ ତାକୁ ଖବର କରାଯାଉଛି ? ଆଜ୍ଞା ହଁ ! ଏ ଝିଅର ସ୍ୱପ୍ନ ସମାଜକୁ ଏକ ଆଶା ଦେଉଛି… ହାରି ନଯାଇ ଜୀବନକୁ କେମିତି ଜିତି ଜିତି ଜିଇଁହୁଏ ଏ ଝିଅ ବାର୍ତ୍ତା ଦେଉଛି । ଥାଲାସେମିଆରେ ଥକି ନଯାଇ ବେଶ ସାହସର ସହ ଜୀବନର ସାଇକେଲକୁ ଖୁସିରେ ଗଡାଉଛି କୁନି ଝିଅ…

ନଭ୍ୟା ନଭେଲି ସାହୁ । କେନ୍ଦ୍ରାପଡା ମହାକାଳପଡା ନନ୍ତରା ସରକାରୀ ସ୍କୁଲରେ ନବମରେ ପଢୁଥିବା ଛାତ୍ରୀ । ଜନ୍ମରୁ ନଭ୍ୟା ଥାଲାସେମିଆରେ ରୋଗରେ ପୀଡିତ । ପ୍ରତିମାସ ୪ ଥର ରକ୍ତ ନନଲେ ନଭ୍ୟାର ଜୀବନ ବଞ୍ଚିବା ଅସମ୍ଭବ । ରୋଗ କଷ୍ଟ ଭିତରେ ରାତି ପାହି ଯେବେ ସକାଳ ହୁଏ ନଭ୍ୟା ଜୀବନକୁ ନେଇ ଦେଖେ ଅନେକ ସ୍ୱପ୍ନ । ହେଲେ ଦେହରୁ ଯେବେଯେବେ ରକ୍ତ ସରି ସରି ଆସେ ବଞ୍ଚିବାର ଆଶା ମଉଳିଯାଏ କିନ୍ତୁ ମଉଳେନି ଡାକ୍ତର ହେବାର ଆଶା, ସେବା କରିବାର ସ୍ୱପ୍ନ…

ଥାଲାସେମିଆରେ ପୀଡିତ ଥିବାରୁ ରକ୍ତ ପାଇଁ ସବୁବେଳେ ଚିନ୍ତାରେ ରହୁଛନ୍ତି ପରିବାର ଲୋକେ । ଝିଅର ଜୀବନ ବଞ୍ଚାଇବାର ପ୍ରୟାସରେ ଭବିଷ୍ୟତ ଗଢିବାର କଥାକୁ ଧ୍ୟାନ ଦେଇନଥିଲେ ପରିବାର । କିନ୍ତୁ ନଭ୍ୟାର ପ୍ରତିଭା ଆଉ ପାଠପଢା ପ୍ରତି ଆଗ୍ରହ ଦେଖି କୁନି ଝିଅକୁ ଗଢିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ବିକାଶ ପଟ୍ଟନାୟକ । ନଭ୍ୟାର ପାଠପଢା ପାଇଁ ପ୍ରାଣପଣେ ଚେଷ୍ଟା କରି ଶେଷରେ ତାକୁ ସଫଳ ମଧ୍ୟ କରାଇଛନ୍ତି । ଆଉ ନଭ୍ୟା ଜାତୀୟ ସ୍ତରରେ ବୃତି ପାଇଛନ୍ତି । ତେବେ ଶରୀର ଅସୁସ୍ଥ ଥାଇ ବି ସ୍ୱପ୍ନକୁ ସତ କରିବାକୁ ଜୀବନ ସହ ଝଗଡା କରୁଥିବା ନଭ୍ୟା ଅସୁସ୍ଥତା ଆଗରେ କେବେ ହାର ମାନି ନାହାନ୍ତି…

ଦେହରୁ ରକ୍ତ ସରି ଯାଉଛି, ମନରୁ ସରୁନି ଡାକ୍ତର ହେବାର ଆଶା

#ମାଆ_ମୁଁ_ଡାକ୍ତର_ହେବି…ଯନ୍ତ୍ରଣା ଭିତରେ ଡାକ୍ତର ହେବାର ସ୍ୱପ୍ନ ସଜାଡୁଛି କୁନି ଝିଅ । ଥାଲାସେମିଆ ରୋଗରେ ସିନା ଦେହରୁ ରକ୍ତ ସରି ସରି ଯାଉଛି ହେଲେ ମନରୁ ସରୁନି ଡାକ୍ତର ହେବାର ଆଶା । ନଇଁ ନଯାଇ ସମୟ ସହ ଝଗଡା କରି ଜୀବନକୁ ସୁନ୍ଦର କରୁଛି ନଭ୍ୟା…#SpecialReport #Thalassemia #Kendrapara #Odisha CMO Odisha

Posted by Kanak News on Thursday, July 2, 2020