କନକ ବ୍ୟୁରୋ : ଦିନେ ଅନାଥ ହୋଇ ରାସ୍ତା କଡ଼ରେ ପଡି କୁଆଁକୁଆଁ କରି କାନ୍ଦୁଥିବା ଶିଶୁ କନ୍ୟା ଆଜି ଆମେରିକାର ନାଗରିକ । ଚିକାଗୋର ବ୍ୟବସାୟୀଙ୍କ ଅଲିଅଳି ଝିଅ । ନୂଆ ଠିକଣା ପାଇବା ପରେ ବି ପୋଶ୍ୟ ସନ୍ତାନ ଗୃହକୁ ଭୁଲି ପାରିନାହିଁ । ସେଇଥି ପାଇଁ ତ ସେ ଆମେରିକାରୁ ଧାଇଁ ଆସିଛି । ଆଉ ୭ ବର୍ଷ ବ୍ୟବଧାନ ପରେ କାବ୍ୟାକୁ ଦେଖି ଭାବ ବିହ୍ୱଳ ହୋଇଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ପୋଷ୍ୟ ସନ୍ତାନ କେନ୍ଦ୍ରର ଅନ୍ତେବାସୀ ଓ କର୍ମଚାରୀ ।
୨୦୧୬ ମସିହାରେ କାବ୍ୟାକୁ ମାଲକାନଗିରି ଜିଲ୍ଲାରୁ ଉଦ୍ଧାର କରାଯାଇଥିଲା । ସେତେବେଳେ ସେ ମାତ୍ର ୧୩ ମାସର ଥିଲା । ଶିଶୁ ଯତ୍ନ କେନ୍ଦ୍ରରେ ରଖି ପ୍ରାୟ ଏକ ବର୍ଷ ରହିବା ପରେ କାବ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି । ତାଙ୍କର ଦୁଇଟି ପୁଅ ଅଛନ୍ତି । ଝିଅଟିଏ ପାଇଁ ଇଛୁକ ଥିବା ଏହି ଦମ୍ପତି ଅନଲାଇନ୍ ଆବେଦନ କରି ୭ ବର୍ଷ ତଳୁ କାବ୍ୟାକୁ କୋଳେଇ ନେଇଛନ୍ତି ।
କାବ୍ୟା ଆମେରିକାରୁ ସାଙ୍ଗ ସାଥିଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ଆଣିଛି । ଆଗକୁ ମଧ୍ୟ ଝିଅକୁ ଆଣି କୋରାପୁଟ ବୁଲି ଆସିବେ ବୋଲି କାବ୍ୟାର ବାପା-ମାଆ କହିଛନ୍ତି ।