ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର କୁନି ଝିଅ ଶିକ୍ତା । ୧୯ ମାସର କୁନି ଝିଅ ଶିକ୍ତା କଲେ କମାଲ ।

284

କନକ ବ୍ୟୁରୋ : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଇଚ୍ଛାଶକ୍ତି ଓ ପ୍ରତିଭା ଥିଲେ ସଫଳତା ଦିନେ ନିଶ୍ଚିତ ମିଳେ । ଯାହାକୁ ଆଜି ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଣସରପୁର ଗ୍ରାମର ଶିଶୁ ପ୍ରତିଭା ଶିକ୍ତା ବସୁନ୍ଧରା ମାଝୀ । ଚିତ୍ର ଦେଖି ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ସ୍ୱାଧୀନତା ସଂଗ୍ରାମୀ ଓ ମଣୀଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଦିକୁ ନିର୍ଭୁଲ ଭାବେ ଚିହ୍ନଟ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଶିକ୍ତା ବସୁନ୍ଧରା ।

ଯାଜପୁରର ଶିକ୍ତା ବସୁନ୍ଧରା ମାଝି । ବୟସ ବର୍ଷେ ପୁରି ୭ ମାସ ଚାଲିଛି । ହେଲେ ଛବି ଦେଖି ସ୍ପଷ୍ଟ ଭାବେ ସେ ଚିହ୍ନି ପାରୁଛନ୍ତି । ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ମଣିଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନିର୍ଭୁଲ ଭାବେ ଚିହ୍ନି ପାରୁଛନ୍ତି କୁନି ଝିଅ ଶିକ୍ତା । ଏହି ପ୍ରତିଭା ପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଛି । ନିକଟରେ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ପୁରା ପରିବାର ସହ ଗାଁରେ ଖେଳିଯାଇଛି ଖୁସିର ଲହରୀ ।

ଛୋଟ ବୟସରୁ ଶିକ୍ତା ବସୁନ୍ଧରାଙ୍କର ପ୍ରତିଭାକୁ ଚିହ୍ନି ପାରିଥିଲେ ତାଙ୍କ ବାପା ମା’ । କୁନି ପିଲାଟିଏ ହୋଇଥିଲେ ମଧ୍ୟ ଝିଅର ସ୍ମରଣ ଶକ୍ତି ବେଶ୍ ପ୍ରଖର । ତେଣୁ ଝିଅକୁ ପ୍ରତିଯୋଗିତାରେ ଓହ୍ଳାଇବା ପାଇଁ ମା ବିଜୟଲକ୍ଷ୍ମୀ ମନ ବଳାଇଥିଲେ । ପରେ ବାପା, ମା’ଙ୍କ ପ୍ରଶିକ୍ଷଣରେ ଝିଅକୁ ଏହି ସଫଳତା ମିଳିଛି । ବାପା ସୁରେନ୍ଦ୍ର ମାଝି ଏକ କଲେଜର ଅଧ୍ୟାପକ ଭାବେ ପାଠ ପଢାଉଛନ୍ତି । ଝିଅର ସଫଳତାରେ ସେ ଖୁସି ହେବା ସହ ଭବିଷ୍ୟତରେ ଝିଅ କିପରି ଅଧିକ ସଫଳତା ପାଇଁ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଏପଟେ ଶିକ୍ତାଙ୍କ ଏହି କୃତିତ୍ୱ ପାଇଁ ଏବେ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଭବିଷ୍ୟତରେ ଶିକ୍ତା ବସୁନ୍ଧରା ନିଜର ପ୍ରତିଭା ଦ୍ୱାରା ରାଜ୍ୟର ନାଁ ରଖିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।