କନକ ବ୍ୟୁରୋ: କଅଁଳ ବୟସ । ନାଚକୁଦି ଖେଳିବୁଲି, ପାଠ ପଢିବାର ସମୟ । ହେଲେ ଏ ସମୟରେ ମୁଣ୍ଡରେ ବୋଝ । ଘର ଚଳାଇବାର, ୭ ପ୍ରାଣୀ ପେଟକୁ ଦାନା ଯୋଗାଇବାର ଦାୟିତ୍ୱ । କୁନି ଝିଅଟି ମୂଲ ଲାଗିଲେ ଘରେ ଚୁଲି ଜଳିବ  । ନହେଲେ ଖାଡା ଉପାସ । ଆମେ କହୁଛୁ ଖୋର୍ଦ୍ଧ ଜିଲ୍ଲା ବେଗୁନିଆ ବ୍ଲକ କୁରୁମ୍ ଆଦିବାସୀ ସାହି କୁନି ଝିଅ ରିଙ୍କି ସାହୁଙ୍କ କଥା ।

Advertisment

ବୟସ ମାତ୍ର ୭ ବର୍ଷ । ହେଲେ ମୁଣ୍ଡ ଉପରେ କିନ୍ତୁ ୭ଜଣଙ୍କ ଦାୟିତ୍ୱ । ବାପା ସୁରେନ୍ଦ୍ର ସାହୁ ଲିଭର କ୍ୟାନ୍ସରରେ ପୀଡିତ ହୋଇ ଶଯ୍ୟାଶାୟୀ  । ଘରେ ପାଞ୍ଚ ପାଞ୍ଚଟି ପିଲାଙ୍କୁ ସମ୍ଭାଳୁଛି ମା’ । ଏଭଳି ସ୍ଥିତିରେ କେହି କାମ କଲେ ତ ପରିବାର ଚଳିବ । ତେଣୁ ନିଜର ଖୁସିକୁ ପଛରେ ପକାଇ ପରିବାର ପାଇଁ ଅଣ୍ଟା ଭିଡିଛି କୁନି ଝିଅ ରିଙ୍କି । ପର ଘରେ କାମ କରିବା ସହ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରେ  । ତାକୁ ବିକି ଯାହା ଦି ପଇସା ମିଳେ ସେଥିରେ ୭ଟା ପେଟରେ ଦାନା ପଡେ । ନ ହେଲେ ଉପାସ । କେବେ କେବେ ମା’ ବି ରିଙ୍କିକୁ ସାହାଯ୍ୟ କରିବାକୁ ଯାଆନ୍ତି ।

ଦୟନୀୟ ଅବସ୍ଥାରେ ଚଳୁଥିବା ଏହି ପରିବାର ଉପରେ କିନ୍ତୁ ପ୍ରଶାସନର ଆଖି ପଡୁନି । ସରକାରୀ ସହାଯ୍ୟ ମାନେ ଖାଲି ଯାହା ୧୦ କେଜି ଚାଉଳ, ଯାହା ଏହି ପରିବାର ପାଇଁ ସମୁଦ୍ରକୁ ଶଂଖେ ପରି ।  ସହି ପଡିଶା ଘରୁ ମାଗିଯାଚି ବା ଆଉ କେତେ ଚଳିବେ । ଏତିକିିରେ ଏମାନଙ୍କ କଷ୍ଟ ସରୁନି । ମୁଣ୍ଡ ଗୁଞ୍ଜିବାକୁ ଥିବା ଏଇ ଚାଳିଆ ଖଣ୍ଡକ ବି ଭାଙ୍ଗି ଗଲାଣି । ବର୍ଷା ଦିନେ ଘର ଭିତରେ ପାଦେ ପାଦେ ପାଣି । ଖଣ୍ଡେ ଇନ୍ଦିରା ଆବାସ ଯୋଜନା ଘର ବି ଏମାନଙ୍କ ଭାଗ୍ୟରେ ନାହିଁ । ଏ ପରିବାର ଅବସ୍ଥା ଦେଖି ପାଖ ପଡିଶା ଲୋକଙ୍କ ମନ ବି ଡହଳ ବିକଳ ।

ଆଶା ଓ ବିଶ୍ୱାସ ଗଣମାଧ୍ୟମରେ ଏହି ଖବର ପ୍ରସାର ପରେ ଦାରିଦ୍ର୍ୟର ଯନ୍ତ୍ରଣା ଭୋଗୁଥିବା ଏହି ପରିବାର ଉପରେ ପ୍ରଶାସନର ଦୃଷ୍ଟି ନିଶ୍ଚୟ ପଡିବ ।