ଛୋଟ ଦୁର୍ଘଟଣା ବଦଳାଇଦେଲା ଜୀବନ । ବାପାଙ୍କ ଯନ୍ତ୍ରଣା ଦେଖି ବିକଳ ହେଉଛି କୁନି ପୁଅ ।

157

କନକ ବ୍ୟୁରୋ: ଶେଯରେ ପଡି ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାପା । ହେଲେ ଅସହାୟ ହୋଇ ଚାହିଁ ରହିଛି କୁନି ପୁଅ । ସିଏ ବା କ’ଣ କରିପାରିବ । ଖାଲି ଯାହା ପାଖରେ ବସି ବାପାଙ୍କୁ ଆଉଁସି ଦେଉଛି । ମନେ ମନେ କହୁଛି ବାପାଙ୍କୁ କିଏ ଭଲ କରିଦିଅନ୍ତା ।

ଏ ହେଉଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ସତ୍ୟବ୍ରତ ଘଡେଇ । ଦିନେ ଚଳଚଞ୍ଚଳ ଥିବା ସତ୍ୟବ୍ରତ ଆଜି ଶେଯରେ ପଡି ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଅତୀତର ଭଲ ଦିନ ଗୁଡିକୁ ମନେ ପକାଉଛନ୍ତି । ପାଖରେ ବାପା, ମା’. ସ୍ତ୍ରୀ , ପୁଅଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ।

ପରିବାରକୁ ସାହାଯ୍ୟ କରିବାକୁ ଅଧାରୁ ପାଠ ପଢା ଛାଡି ବାପାଙ୍କ ସହ ମିଶି କାମ କରିବାକୁ ଘରୁୁ ଗୋଡ କାଢିଥିଲେ ସତ୍ୟବ୍ରତ । ପାଇପଲାଇନ୍ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳିଯାଉଥିଲା । ବିବାହ ମଧ୍ୟ କଲେ । କୋଳକୁ ପୁଅଟେ ଆସିଲା । ଭାରି ହସଖୁିସରେ କଟିଯାଉଥିଲା ଦିନ । ହେଲେ ହଠାତ୍ ଘୋଟିଆସିଲା ଦୁଃଖର କଳା ବାଦଲ । ୪ ବର୍ଷ ତଳେ ହଠାତ୍ ଦିନେ ତାଙ୍କର ମାସିନକ ବିକୃତି ଦେଖାଦେବା ସହ ପକ୍ଷାଘାତ ହୋଇଗଲା । ବାସ୍ ସେହି ଦିନଠୁ ଖଟିଆ ଧରିଲେ ଯେ ଆଉ ଉଠୁ ନାହାଁନ୍ତି ସତ୍ୟବ୍ରତ ।

ଯେଉଁ ବୟସରେ ପୁଅର ସେବା ପାଇବା କଥା ସେ ବୟସରେ ପୁଅର ସେବା କରୁଛନ୍ତି ବୁଢା ବାପା, ମା’ । ବନ୍ଧୁବାନ୍ଧବଙ୍କ ଠାରୁ ମାଗିଯାଚି ପୁଅ ପିଛାରେ ଖର୍ଚ୍ଚ କରିସାରିଲେଣି ୧୩ ଲକ୍ଷରୁ ଅଧିକ ଟଙ୍କା । ଏବେ ଆଉ ସମ୍ବଳ ନାହିଁ । ହେଲେ ଆଖି ଆଗରେ ନାଚି ଯାଉଛି ବୋହୂ ଆଉ ନାତିର ମୁହଁ । ଏମାନଙ୍କ ଭବିଷ୍ୟତ କ’ଣ ହେବ । ତେଣୁ ସରକାରୀ ସହାୟତାକୁ ଆଶା କରିଛନ୍ତି ସତ୍ୟବ୍ରତଙ୍କ ବାପା , ମା’ ।

ଆଶା ଓ ବିଶ୍ୱାସ ସତ୍ୟବ୍ରତଙ୍କ ଏହି ଅବସ୍ଥା ଦେଖିବା ପରେ ପ୍ରଶାସନ ନିଶ୍ଚୟ ସାହାଯ୍ୟର ହାତ ବଢାଇବେ । ତେବେ ସତ୍ୟବ୍ରତଙ୍କୁ କେହି ସହ୍ୟୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା ହେଲା:
ସତ୍ୟବ୍ରତ ଘଡେଇ
ଆଟ୍:ପନ୍ତୁରୀ
ପିଏସ: ଧର୍ମଶାଳା , ଯାଜପୁର
ମୋବାଇଲ ନଂ-୯୯୩୭୭୯୦୨୫୭
ବ୍ୟାଙ୍କ ଆକାଉଣ୍ଟନଂ : ୩୨୦୭୮୦୧୩୨୩୦
ଆଇଏଫଏସସି: ଏସବିଆଇଏନ୦୦୧୨୦୫୪