ମାତ୍ର ୧ ବର୍ଷ ବୟସରେ ବିଶ୍ୱ ବୁଲୁଛି କୁନି ପୁଅ , ମାସକୁ ରୋଜଗାର କରୁଛି ୮୦ ହଜାର ଟଙ୍କା

799

କନକ ବ୍ୟୁରୋ: ବର୍ଷକର ପିଲା କ’ଣ କରିବ । ନା ଠିକ ଭାବେ କଥା କହିପରୁଥିବ ନା ଚାଲିପାରୁଥିବ । ଆମେରିକାର ଏହି କୁନି ପୁଅ କିନ୍ତୁ ଏଇ କୁନି ବୟସରେ ସାରା ବିଶ୍ୱ ବୁଲୁଛି ଆଉ ମାସକୁ ରୋଜଗାର କରୁଛି ପାଖାପାଖି ୮୦ ହଜାର ଟଙ୍କା । ଏହାକୁ ଆପଣ ସହଜରେ ଗ୍ରହଣ କରିପାରୁନଥିବାବେଳେ କଥାଟା କିନ୍ତୁ ସତ ।

ଆମେରିକାର ଏହି କୁନି ପୁଅ ବ୍ରିଗ୍ସ । ଏବେ ବ୍ରିଗ୍ସର କାହାଣୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ୟୁଜର୍ସ ବ୍ରିଗ୍ସର ଖୁବ ପ୍ରଶଂସା କରୁଛନ୍ତି । ଲୋକଙ୍କ କହିବା ଅନୁଯାୟୀ ଏଇ ବୟସରୁ ଯଦିଏହି ଶିଶୁ ଏତେ ଟଙ୍କା ରୋଜଗାର କରିପାରୁଛି ତାହେଲେ ଭବିଷ୍ୟତରେ କେତେ ରୋଜଗାର କରିବ! ଆସନ୍ତୁ ଜାଣିବା ମାତ୍ର ବର୍ଷକର ଏହି କୁନି ପୁଅ କେମିତି ରୋଜଗାର କରୁଛି ଏତେ ଟଙ୍କା । ମାତ୍ର ୧ ବର୍ଷ ବୟସରେ ବ୍ରିଗ୍ସ ଅଲାସ୍କା, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଉଟାହ, ସମେତ ଆମେରିକାର ପାଖାପାଖି ୧୯ ରାଜ୍ୟ ବୁଲି ସାରିଲାଣି । ବ୍ରିଗ୍ସର ଜନ୍ମ ୨୦୨୦ ଅକ୍ଟୋବର ୧୪ ତାରିଖରେ ହୋଇଥିଲା । ବ୍ରିଗ୍ସକୁ ମାତ୍ର ୩ ସପ୍ତାହ ହେବାବେଳେ ସେ ପ୍ରଥମ ବିମାନ ଯାତ୍ରା କରିଥିଲା ।

ଏବେ ଛୋଟୁ ଇନଷ୍ଟାଗ୍ରମରେ ବେଶ ସକ୍ରିୟ । ଏବେ ବ୍ରିଗ୍ସର ୩୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ପ୍ରକୃତ କଥା ହେଉଛି ବେବି ବ୍ରିଗ୍ସର ମା’ ଜୈସ୍ ପୂର୍ବରୁ ‘ ପାର୍ଟ ଟାଇମ୍ ଟୁରିଷ୍ଟ’ ନାଁରେ ଏକ ବ୍ଲଗ୍ ଚଲାଉଥିଲେ । କିନ୍ତୁ ଗତ ବର୍ଷ ଯେତେବେଳେ ସେ ଗର୍ଭବତୀ ହୋଇଯାଇଥିଲେ ଚିନ୍ତାରେ ପଡିଯାଇଥିଲେ । ତାଙ୍କୁ ଲାଗିଥିଲା ଯେପରି ତାଙ୍କର କ୍ୟାରିଅର ହିଁ ଶେଷ ହୋଇଗଲା । କିନ୍ତୁ ଭାଗ୍ୟ ତାଙ୍କୁ ଆହୁରି ଉପରକୁ ନେଇଗଲା । ବ୍ରିଗ୍ସ ତାଙ୍କୁ ଭାବନାଠାରୁ ବି ଅଧିକ ସଫଳତା ଦେଇଛି । ବ୍ରିଗ୍ସର ଜନ୍ମ ପରେ ଜୈସ୍ ‘ ବେବି ଟ୍ରାଭେଲ’ ନାଁରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ କ୍ରିଏଟ୍ କଲେ । ଏବେ ସେ ବେବି ବ୍ରିଗ୍ସ ସହ ଟ୍ରାଭେଲ କରୁଛନ୍ତି । ଏହି ଅକାଉଣ୍ଟ ମାଧ୍ୟମରେ ବେବି ବ୍ରିଗ୍ସକୁ ମାସକୁ ପାଖାପାଖି ୮୦ ହଜାର ଟଙ୍କା ମିଳୁଛି ।

ବେବି ବ୍ରିଗ୍ସଙ୍କର ଏକ ସ୍ପୋନ୍ସର ବି ଅଛି । ଯିଏ କି ବ୍ରିଗ୍ସକୁ ସାନିଟାରୀ ଡାଏପର ଓ ୱାଇପ୍ସ ଯୋଗାଇ ଦିଏ । ବ୍ରିଗ୍ସର ମା’ ଜୈସଙ୍କ କହିବା ମୁତାବକ, ଯାହାକୁ ନେଇ ସେ ଡରୁଥିଲେ ତାରି ପାଇଁ ତାଙ୍କ କ୍ୟାରିଅରକୁ ଏକ ନୂଆ ଦିଗ ମିଳିଲା । ଏବେ ମା’ ପୁଅ ଦୁହେଁ ରୋଡ ଟ୍ରିପ୍ ଓ ଅବକାଶ ସମୟର ଯାତ୍ରା ଉପରେ ଗୁରୁତ୍ୱ ଦେଉଛନ୍ତି ।