କନକ ବ୍ୟୁରୋ: ଆଜି ଗୋଟିଏ ଦିନରେ ଟି-୨୦ ବିଶ୍ୱକପରେ ଏସିଆର ୪ ଦେଶ ସାମ୍ନାସାମ୍ନି ହେଉଛନ୍ତି । ଗୋଟିଏ ପଟେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଅପେକ୍ଷା । ହେଲେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବ୍ୟାଟ୍ସମ୍ୟାନ ଓ ବୋଲର ।
ଦେଖିବାକୁ ମିଳିଛି ବାଂଲାଦେଶର ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କ ୱିକେଟ ଯିବା ପରେ ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ତାଙ୍କୁ କିଛି ଅକ୍ଷେପ କରି କହିଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାପରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ସାମ୍ନାକୁ ଆସି ଲାହିରୁ କୁମାରଙ୍କୁ ପଛକୁ ଧକ୍କା ମାରିଥିଲେ । ଏହାପରେ ଅମ୍ପାୟାର ମାନେ ଆସି ପରିସ୍ଥିତିକୁ ଠିକ କରିଥିଲେ ।
ଏହି ମ୍ୟାଚରେ ଆଜି ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ଆଗ୍ରେସିଭ ନଜର ଆସିଥିଲେ । ଏହି ଘଟଣାର ଠିକ ପୂର୍ବରୁ ଲାହିରୁ ବ୍ୟାଟ୍ସମୟାନ ଆଡକୁ ଜୋରରେ ବଲ ଫିଙ୍ଗିଥିଲେ ଯାହା ସିଧା ୱିକେଟ କିପର ହାତକୁ ଯାଇଥିଲା ।
ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ତେଣୁ ପ୍ରଥମେ ବ୍ୟାଟିଂ ଆସି ବାଂଲାଦେଶ ଦଳ ୧୭୧ ରନ କରିଥିଲା । ଏବେ ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଜାରି ରଖିଛି ଶ୍ରୀଲଙ୍କା ଦଳ ।