କନକ ବ୍ୟୁରୋ : ଗତ ୧୧ ଦିନରେ ଓଡିଶାରେ ୮୩ ଜଣ ଲୋକାଲ ବା ସ୍ଥାନୀୟ ଲୋକ ଆକ୍ରାନ୍ତ ହେବାର ଖବର ଆସିବା ପରେ ଏହାକୁ ନେଇ ବିଶେଷଜ୍ଞମାନେ ପ୍ରତିକ୍ରିୟା ରଖିଛନ୍ତି । ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁ କହିଛନ୍ତି, ଓଡିଶାରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ ବୋଲି କୁହାଯାଇ ପାରିବନାହିଁ । ଆଜି ଓଡିଶାରେ ୯୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୧ ଜଣ ସ୍ଥାନୀୟ ଲୋକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଆଜି ଭୁବନେଶ୍ୱର ଏମ୍ସର ଜଣେ କର୍ମଚାରୀ ଓ ନୟାଗଡ ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Advertisment

ସଙ୍ଗରୋଧ କେନ୍ଦ୍ର ବାହାରେ ସଂକ୍ରମଣ । ଓଡିଶାରେ ପାଦ ଦେଉଛି କି ଗୋଷ୍ଠୀ ସଂକ୍ରମଣ? ଓଡିଶାରେ ଗତ ୧୧ ଦିନରେ ସଙ୍ଗରୋଧ କେନ୍ଦ୍ର ବାହାରେ ଚିହ୍ନଟ ହୋଇଛନ୍ତି ୮୩ଜଣ କରୋନା ଆକ୍ରାନ୍ତ । ବିନା କୌଣସି ଗସ୍ତ ବିବରଣୀରେ ଅନେକ ସ୍ଥାନୀୟ ଲୋକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟରେ ପ୍ରାୟ ୧୨% ରୋଗୀ ସଙ୍ଗରୋଧ କେନ୍ଦ୍ର ବାହାରେ କରୋନା ପଜିଟିଭ ଚିହ୍ନଟ ହେଉଥିବା ବିଶେଷଜ୍ଞ କହିଛନ୍ତି ।

ନଜର ପକାନ୍ତୁ କଣ ଏହି ଗୋଷ୍ଠୀ ସଂକ୍ରମଣ? ଗସ୍ତ ବିବରଣୀ ନଥିବା ଅର୍ଥାତ ବାହାର ରାଜ୍ୟ ଓ ଦେଶକୁ ଯାଇ ନଥିବା କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହେଲେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଥାଏ । ଗୋଷ୍ଠୀ ସଂକ୍ରମଣରେ ସଂକ୍ରମିତ କେଉଁ ଉତ୍ସରୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ତାହା ଜଣା ପଡେନାହିଁ ।

ଓଡିଶାରେ ସଙ୍ଗରୋଧ କେନ୍ଦ୍ର ବାହାରେ ସଂକ୍ରମିତ ହୋଇଥିବା ଲୋକଙ୍କ ବି ଗସ୍ତ ବିବରଣୀ ଏପର୍ଯ୍ୟନ୍ତ ଜାରି କରିନାହାନ୍ତି ସରକାର । ଏଣୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସଙ୍ଗରୋଧ କେନ୍ଦ୍ର ବାହାରେ କେମିତି ସ୍ଥାନୀୟ ଲୋକ କରୋନା ସଂକ୍ରମିତ ହେଉଛନ୍ତି? ଦେଶରେ ମୁମ୍ବାଇ ସମେତ କିଛି କଂଟେନମେଂଟ ଜୋନ ଓ ରେଡ ଜୋନରେ ଗୋଷ୍ଠୀ ସଂକ୍ରମଣ ନେଇ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଥିବା ବେଳେ ଓଡିଶାରେ ବି ସମାନ ଆଶଙ୍କା ଦେଖାଦେଇଛି ।

କରୋନା ମୁକାବିଲା ଆରମ୍ଭରୁ ସରକାର ଗୋଷ୍ଠୀ ସଂକ୍ରମଣ ରୋକିବା ଉପରେ ଫୋକସ କରୁଛନ୍ତି । ପ୍ରବାସୀଙ୍କୁ ସଙ୍ଗରୋଧରେ ରଖି ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଚେଷ୍ଟା କରୁଛନ୍ତି । ହେଲେ ସଙ୍ଗରୋଧ କେନ୍ଦ୍ର ବାହାରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଓ ସେମାନେ କେଉଁଠୁ ସଂକ୍ରମିତ ହେଲେ ତାର କୌଣସି ସ୍ପଷ୍ଟ ଚିତ୍ର ନ ଆସିବା ପୁରା ଘଟଣାକୁ ସନ୍ଦେହ ଘେରକୁ ନେଇଯାଉଛି ।