ବିଶ୍ୱର ଶ୍ରେଷ୍ଠ ୫ ବାୟୁସେନା । ଚୀନକୁ ପଛରେ ପକାଇ ତୃତୀୟ ସ୍ଥାନରେ ଭାରତ । କାହାର କେତେ କ୍ଷମତା ପଢନ୍ତୁ …

2,354

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ସେନା ତାଲିକାରେ ତୃତୀୟ ସ୍ଥାନରେ ଭାରତ । ବର୍ତ୍ତମାନ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଡବ୍ଲୁଡିଏମଏମଏ ଦ୍ୱାରା ଜାରି ହୋଇଥିବା ଗ୍ଲୋବାଲ ଏୟାର ପାୱାର୍ସ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ ରହିଛି । ଚୀନକୁ ଚତୁର୍ଥ ସ୍ଥାନକୁ ଠେଲି ଏହି ସଫଳତା ହାସଲ କରିଛି ଭାରତ । ଏହି ରାଙ୍କିଙ୍ଗ କେବଳ ବିମାନକୁ ନେଇ ହୋଇନଥାଏ । ଆଧୁନିକତା, ଲଜିଷ୍ଟିକ ସପୋର୍ଟ, ଆକ୍ରମଣ କରିବା, ରକ୍ଷା କରିବା ଭବିଷ୍ୟତର କିଣିବା କ୍ଷମତାକୁ ନେଇ ଏହି ସୂଚୀ ପ୍ରସ୍ତୁତ ହୋଇଛି । 

ଡବ୍ଲୁଡିଏମଏମଏର ଆମେରିକା ବାୟୁ ସେନାକୁ ୨୪୨.୯ ଟିଭିଆର ଦେଇଛି । ଆମେରିକା ପାଖରେ ୫ ହଜାର ୨୦୯ ବିମାନ ରହିଛି । ଏଥିମଧ୍ୟରୁ ୪୧୬୭ଟି ବିମାନ କୌଣସି ବି ସମୟରେ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିଛି । ୧୨୪ ଦେଶର ରାଙ୍କିଙ୍ଗରେ ଆମେରିକା ବାୟୁସେନା ପ୍ରଥମ ସ୍ଥାନରେ ରହିଛି । ଏହା ସହ ଦେଶ ପାଖରେ ଆକ୍ରମଣ କରୁଥିବା ୧୯୭୬ ଫାଇଟର ଜେଟ, ତାକୁ ସହଯୋଗ ପାଇଁ ୧୬୯୨ ଏୟାରକ୍ରାଫ୍ଟ, ଟ୍ରେନିଙ୍ଗ ପାଇଁ ୧୫୪୧ ଏୟାରକ୍ରାଫ୍ଟ ରହିଛି । ଭବିଷ୍ୟତରେ ଆଉ ୨୪୧୯ ଏୟାରକ୍ରାଫ୍ଟ କିଣିବା ପାଇଁ ଚିନ୍ତା କରିଛି । କେବଳ ଏତିକି ନୁହେଁ ୧୫୨ ବମ୍ବର୍ଷ ଏୟାରକ୍ରାଫ୍ଟ ରହିଛି । ୨୧୩ ହେଲିକପ୍ଟର ଏବଂ ୬୭୭ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ରହିଛି ।

ଋଷ ବାୟୁସେନାକୁ ଡବ୍ଲୁଡିଏମଏମଏ ୧୧୪. ୨ ଟିଭିଆର ଦେଇଛି । ଋଷ ସେନା ପାଖରେ ୩୮୨୯ ଏୟାରକ୍ରାଫ୍ଟ ରହିଛି । ଏଥିରୁ ୩୦୬୩ଟି ବିମାନ କୌଣସି ସ୍ଥିତିରେ ଉଡିବା ପାଇଁ ପ୍ରସ୍ତୁତ ରୁହନ୍ତି । ଏହା ସହ ୧୫୦୭ ଆଟାକ୍‌, ୧୮୩୭ଟି ସପୋର୍ଟ ଏବଂ ୪୮୫ଟି ଟ୍ରେନିଂ ଏୟାରକ୍ରାଫ୍ଟ ରହିଛି । ଆଗାମୀ ଦିନରେ ୮୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ପ୍ରସ୍ତୁତି କରିଛି । କେବଳ ଏତିକି ନୁହେଁ ୧୨୫ ବମ୍ବର୍ଷ ଏୟାରକ୍ରାଫ୍ଟ ରହିଛି । ୧୯୪ କ୍ଲୋଜ ଏୟାର ସପୋର୍ଟ ଏୟାରକ୍ରାଫ୍ଟ, ୧୩୬୪ ହେଲିକପ୍ଟର ଏବଂ ୩୮୭ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ରହିଛି । ୧୯ଟି ରିଫ୍ୟୁଲର୍ସ ଏୟାରକ୍ରାଫ୍ଟ ସହ ସ୍ପେଶାଲ ମିଶନ ପାଇଁ ୬୭ ଏୟାରକ୍ରାଫ୍ଟ ରହିଛି । 

ତୃତୀୟ ସ୍ଥାନରେ ଥିବା ଭାରତୀୟ ବାୟୁସେନାକୁ ଡବ୍ଲୁଡିଏମଏମଏ ୬୯.୪ ଟିଭିଆର ଦେଇଛି । ଭାରତ ପାଖରେ ୧୬୪୫ଟି ବିମାନ ରହିଛି । ଚୀନ ପାଖରେ ଭାରତଠାରୁ ଅଧିକ ବିମାନ ଥିଲେ ମଧ୍ୟ ରାଫାଲ ଆସିବା ପରେ ଏବଂ ତେଜସ ବିମାନର ଅପଗ୍ରେଡ ପ୍ରକ୍ରିୟା ପରେ ଭାରତ ରାଙ୍କିଙ୍ଗରେ ଉପରକୁ ଉଠିଛି । ୧୩୧୬ଟି ବିମାନ କୌଣସିବି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛନ୍ତି । ଭାରତ ପାଖରେ ୬୩୨ଟି ଆଟାକ, ୭୦୯ଟି ସପୋର୍ଟ, ୩୦୪ଟି ଟ୍ରେନିଙ୍ଗ ବିମାନ ରହିଛି । ଭବିଷ୍ୟତରେ ଆଉ ୬୮୯ ବିମାନ କିଣିବା ସହ ତିଆରି ପାଇଁ ଭାରତ ପ୍ରସ୍ତୁତି କରିଛି । ଭାରତ ବାୟୁସେନା ପାଖରେ ୪୩୮ ହେଲିକପ୍ଟର, ୨୫୦ ଟ୍ରାନସପୋର୍ଟ, ୭ଟି ରିଫ୍ୟୁଲର, ୧୪ଟି ସ୍ପେଶାଲ ମିଶନ ଏୟାରକ୍ରାଫ୍ଟ ରହିଛି ।

ଚୀନର ପିପୁଲ୍ସ ଲିବରେସନ ଆର୍ମିର ବାୟୁସେନାକୁ ୬୩.୮ ଟିଭିଆର ମିଳିଛି । ଚୀନ ବାୟୁ ସେନା ପାଖରେ ୨୦୮୪ଟି ବିମାନ ରହିଛି । ଏଥିରୁ ୧୬୬୭ଟି ଏୟାରକ୍ରାଫ୍ଟ କୌଣସିବି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଥାନ୍ତି । ଚୀନ ପାଖରେ ୧୪୫୩ ଆଟାକ, ୩୭୦ ସପୋର୍ଟ, ୨୬୧ ଟ୍ରେନିଙ୍ଗ ବିମାନ ରହିଛି ।  ଆଗାମୀ ଭବିଷ୍ୟତ ପାଇଁ ଆଉ କୌଣସି ବିମାନ କିଣିବାର ଲକ୍ଷ୍ୟ ନଥିବା ବେଳେ ଭାରତଠାରୁ ରାଙ୍ଗିଙ୍ଗରେ ପଛରେ ପଡିଛି ଚାଇନା । ଏବେ ଦେଶ ପାଖରେ ୧୨୦ ବମ୍ବର୍ଷ, ୬୫ ହେଲିକପ୍ଟର, ୨୩୮ ଟ୍ରାନସପୋର୍ଟ, ୩ ରିଫ୍ୟୁଲର ବିମାନ ରହିଛି । ୬୪ଟି ସ୍ପେଶାଲ ମିଶନ ପାଇଁ ଏୟାରକ୍ରାଫ୍ଟ ରହିଛି ।

ଜାପାନ ବାୟୁସେନାକୁ ୫୮.୧ ଟିଭିଆର ମିଳିଛି । ଏହି ଦେଶ ପାଖରେ ୭୭୯ଟି ବିମାନ ରହିଛି । ଏଥିରୁ ୬୨୩ ବିମାନ କୌଣସିବି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି । ଜାପାନ ପାଖରେ ୨୭୯ ଆଟାକ, ୧୬୫ ସପୋର୍ଟ, ୩୩୫ ଟ୍ରେନିଙ୍ଗ ବିମାନ ରହିଛି । ଆଗାମୀ ଦିନରେ ୧୮୯ ବିମାନ କିଣିବା ସହ ତିଆରି ପାଇଁ  ଲକ୍ଷ୍ୟ ରହିଛି । କେବଳ ଏତିକି ନୁହେଁ ୬୭ ହେଲିକପ୍ଟର, ୪୨ ଟ୍ରାନସପୋର୍ଟ ବିମାନ, ୬ ରିଫ୍ୟୁଲର, ୫୦ ସ୍ପେଶାଲ ମିଶନ ବିମାନ ରହିଛି ।