ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା : ଗଜପତିରେ ୭ ବର୍ଷରୁ ଶିଶୁ ପୁତ୍ରକୁ ଅଜଣା ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ; ସେପଟେ କୂଅରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁପୁତ୍ରର ମୃତଦେହ

155

କନକ ବ୍ୟୁରୋ : ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା । ପ୍ରାୟ ପ୍ରତିଦିନ ଶିଶୁ ନିଖୋଜ ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୭ ବର୍ଷରୁ ଶିଶୁ ପୁତ୍ର ନିଖୋଜ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁପୁତ୍ର ଜଣଙ୍କ ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବ୍ୟାକେରି ଦୋକାନ ନିକଟରେ ଖେଳୁଥିଲା କାଶୀନଗରର ଝାମି ଗୋପିଙ୍କ ପୁଅ ଝାମି ହାର୍ଦ୍ଧିକ । ଖେଳୁଥିବା ବେଳେ ପିଲାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି ।

କାଲି ନିଖୋଜ ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଜଣେ ୩ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା ।

ରାତିରେ ବହୁ ଖୋଜାଖୋଜି ପରେ ମିଳିନଥିଲା । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, ଆୟୁଷର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି ଆୟୁଷଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।