ନୟାଗଡରେ ହୋଲଡିଂ ଟ୍ୟାକ୍ସ ତାଲିକାକୁ ଦେଖି ଆଶ୍ଚର୍ଯ୍ୟ ସହରବାସୀ: ୭ ଗୁଣା ଦର ବୃଦ୍ଧିକୁ ନେଇ ବଢୁଛି ଅସନ୍ତୋଷ

104

କନକ ବ୍ୟୁରୋ: ନୟାଗଡ ମ୍ୟୁନିସପାଲଟିରେ ପରିବର୍ତିତ ହୋଲଡିଂ ଟ୍ୟାକ୍ସର ତାଲିକା ପ୍ରସ୍ତୁତ କରିଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ । ହେଲେ ୭ ଗୁଣା ବୃଦ୍ଧି ହୋଇଥିବା ତାଲିକା ଦେଖି ସହର ଅଧିବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ଗଦାଗଦା ଅଭିଯୋଗ ପତ୍ର ଅଫିସରେ ପାହଂଚିବାରେ ଲାଗିଛି । ସେପଟେ ଏହା ଚୂଡାନ୍ତ ନୁହେଁ, ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ଦର ଧାର୍ଯ୍ୟ କରିବା ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନୟାଗଡ ସହର ପାଟଚଣ୍ଡି ସାହିର ବାସିନ୍ଦା ଶରତ ପ୍ରହରାଜ । ୨୮ ଡେସିମିଲ ଜାଗା ନିର୍ମିତ ଘର ପାଇଁ ସେ ଆଗରୁ ୨୯୦୦ ଟଙ୍କା ହୋଲଡିଂ ଟ୍ୟାକ୍ସ ଦେଉଥିଲେ, ଏବେ ୨୦ ହଜାର ୪୬୪ ଟଙ୍କା ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ କହିଛି । ସେହି ସାହିର ମିନା କୁମାରୀ ରଥ, ପୂର୍ବରୁ ୬ହଜାର ୭୩୫ ଟଙ୍କାର ଟିକସ ଦେଉଥିଲେ, ନୂଆ ତାଲିକାରେ ୨ ଲକ୍ଷ ୪ ହଜାର ଟଙ୍କା ଦେବାକୁ କୁହାଯାଇଛି । ରେଣୁକା ଦାଶ, ପୂର୍ବରୁ ୯ ହଜାର ୧୦୪ ଟଙ୍କା ଦେଉଥିଲେ, ନୂଆ ତାଲିକାରେ ଟ୍ୟାକ୍ସ ବାବଦରେ ୮୩ ହଜାର ୨୮୨ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି । ନୟାଗଡ ଏନଏସିକୁ ମ୍ୟୁନିସପାଲଟି ମାନ୍ୟତା ମିଳିବା ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସହରବାସୀଙ୍କ ଉପରେ ୭ ଗୁଣା ଟିକସ କସିଛି ।

ନୂଆ ଦରକୁ ନେଇ ଲୋକେ ଅଭିଯୋଗ କରି ପାରିବେ । ସଂପୃକ୍ତ ବିଭାଗ ପକ୍ଷରୁ ଏହି ଅନୁମତି ମିଳିବା ପରେ ଗଦା ଗଦା ଅଭିଯୋଗ ପତ୍ର ପୌର ପରିଷଦ ଅଫିସରେ ପହଂଚୁଛି । ବିନା କାଉନସିଲ ସ୍ୱୀକୃତିରେ ଏଭଳି ଟିକସ ଲାଗୁ ହୋଇପାରିବ ନାହିଁ ବୋଲି ଆଇନଜୀବୀ କହିଛନ୍ତି । ଅନ୍ୟପଟେ ଏହା ଚୂଡାନ୍ତ ନୁହେଁ, ଲୋକଙ୍କ ସୁବିଧାକୁ ଆଖିରେ ରଖି ଦର ଧାର୍ଯ୍ୟ କରିବା ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ପୌର ପରିଷଦ ନିର୍ବାହି ଅଧିକାରୀ କହିଛନ୍ତି । କେଉଁ ଆଧାରରେ ଏଭଳି ଦର ଧାର୍ଯ୍ୟ କରାଯାଇଛି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଏମିତି ହେଲେ ଲୋକେ ଆଦୌ ଟିକସ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।