କନକ ବ୍ୟୁରୋ : ଛତିଶଗଡର ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ବୁଧବାର ଦିନ ନକ୍ସଲ ଆକ୍ରମଣରେ ଡିଆରଜି ବା ଜିଲ୍ଲା ରିଜର୍ଭ ଗାର୍ଡର ୧୧ ଜଣ ଯବାନ ସହିଦ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ ମୁତାବକ ଜିଲ୍ଲାର ଅରନପୁର ଥାନା କ୍ଷେତ୍ରରେ ନକ୍ସଲମାନେ ସୁଡଙ୍ଗ ଭିତରେ ବାରୁଦ ପୁରାଇ ବିସ୍ଫୋରଣ କରିଥିଲେ । ଏଥିରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ପୋଲିସ କହିବା ମୁତାବକ ମାଓ କ୍ୟାଡରମାନେ ଅରନ ଥାନା କ୍ଷେତ୍ରରେ ଥିବା ପୋଲିସକୁ ସୂଚନା ମିଳିବା ପରେ ଦନ୍ତେୱାଡା ଡିଆରଜି ବଳକୁ ଅପରେଶନ ପାଇଁ ପଠାଇ ଦିଆଯାଇଥିଲା । ହେଲେ ସେମାନେ ଅପରେଶନ ପାଇଁ ଜଙ୍ଗଲ ଭିତରେ ପହଂଚିବା ପରେ ଏକ ସୁଡଙ୍ଗ ଭିତରେ ବାରୁଦ ଖଞ୍ଜିଥିବା ନକ୍ସଲମାନେ ବିସ୍ଫୋରଣ କରିଥିଲେ ଓ ୧୧ ଜଣ ଯବାନ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ।

Advertisment

ଏହି ଘଟଣା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟ୍ୱିଟ ମାଧ୍ୟମରେ ନକ୍ସଲବାଦକୁ ସମାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ କୌଣସି ପରିସ୍ଥିତିରେ ନକ୍ସଲମାନଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ତେବେ ଆସନ୍ତୁ ଜାଣିବା ଗତ ୧୩ ବର୍ଷ ମଧ୍ୟରେ ନକ୍ସଲମାନେ ଯବାନଙ୍କ ଉପରକୁ କେତେଥର ଆକ୍ରମଣ କରିଛନ୍ତି ଓ କେଉଁ ଆକ୍ରମଣରେ କେତେ ଯବାନ ସହିଦ ହୋଇଛନ୍ତି ....

  • ୨୦୧୦ ଏପ୍ରିଲ ୬ ତାରିଖରେ ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୭୬ ଜଣ ଯବାନ ସହିଦ ହୋଇଥିଲେ ।
  • ୨୦୧୩ ମେ’୨୫ ତାରିଖରେ ଛତିଶଗଡ ଡିରମ ଘାଟିରେ କଂଗ୍ରେସର ପରିବର୍ତ୍ତନ ଯାତ୍ରା ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଏଥିରେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ସହିତ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।
  • ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଛତିଶଗଡ ସୁକମା ଜିଲ୍ଲାର ଟାହକବାଡା ଠାରେ ନକ୍ସଲ ଆକ୍ରମଣରେ ୧୫ ଜଣ ଯବାନ ସହିଦ ହୋଇଥିଲେ ।
  • ୨୦୧୪ ଏପ୍ରିଲ ୧୨ ତାରିଖରେ ବସ୍ତର ଜିଲ୍ଲା ଦରଭା ଠାରେ ନକ୍ସଲ ଆକ୍ରମଣରେ ୫ଜଣ ଯବାନଙ୍କ ସହିତ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।
  • ୨୦୧୭ ମାର୍ଚ୍ଚ ୧୧ ତାରିଖରେ ସୁକମା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭେଜ୍ଜୀ ଠାରେ ନକ୍ସଲ ଆକ୍ରମଣରେ ୧୨ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ।
  • ୨୦୧୭ ଏପ୍ରିଲ ୨୪ ତାରିଖରେ ସୁକମା ଜିଲ୍ଲାରେ ନକ୍ସଲମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ଏଥିରେ ୨୫ ଜଣ ଯବାନ ସହିଦ ହୋଇଥିଲେ ।
  • ୨୦୨୦ ମାର୍ଚ୍ଚ ୨୧ ତାରିଖରେ ସୁକମା ଜିଲ୍ଲାର ମିନପା ଠାରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟରେ ୧୭ ଜଣ ଯବାନ ସହିଦ ହୋଇଥିଲେ ।
  • ୨୦୨୧ ମାର୍ଚ୍ଚ ୨୩ ତାରିଖରେ ଛତିଶଗଡ ନାରାୟଣପୁର ଠାରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ ।
  • ୨୦୨୧ ଏପ୍ରିଲ ୪ ତାରିଖରେ ଛତିଶଗଡର ବିଜାପୁର ଓ ସୁକମା ଜିଲ୍ଲା ବୋର୍ଡର ଠାରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିଲେ ।
  • ଅନ୍ୟପଟେ ଆଜିର ନକ୍ସଲ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ସହିଦ ଯବାନଙ୍କ ବାବଦରେ ସୂଚନା ନେଇଛନ୍ତି ଗୃହମନ୍ତ୍ରୀ । ଏହାସହ ଯଥା ସମ୍ଭବ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଗୃହମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।