ଶୁଣ ସରକାର : କୁନି ଝିଅ ସିମରନ ମାଗୁଛି ସାହାଯ୍ୟ : ଖେଳକୁଦ ବୟସରେ ଶଯ୍ୟାଶାୟୀ ସିମରନ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

657

କନକ ବ୍ୟୁରୋ : ଖେଳି ବୁଲି ପାଠପଢି ଜୀବନକୁ ଉପଭୋଗ କରିବା ବୟସରେ ଶଯ୍ୟାଶାୟୀ ହୋଇଛି ଜଣେ କୁନି ଝିଅ । ନଅ ବର୍ଷ ବୟସରୁ ମାରାତ୍ମକ ରୋଗର ଶୀକାର ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା କୁନି ଝିଅ ସିମରନ ସାହୁ । ମୁଣ୍ଡ ବ୍ୟଥାରୁ ଆରମ୍ଭ ହୋଇ ଏବେ ବ୍ରେନ ଟ୍ୟୁମର ରୋଗରେ ପୀଡିତ ସିମରନ । ଅର୍ଥଭାବରୁ ବାପା ମା ସିମରନର ଚିକିତ୍ସା କରି ନ ପାରି ଭଗବାନଙ୍କୁ ଭରସା କରି ରହିଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ।

ପ୍ରଦୀପ କୁମାର ସାହୁଙ୍କ ଅଲି ଅଳି ଝିଅ ସିମରନ । ଝିଅକୁ ନେଇ ବାପା ମାଙ୍କ ସ୍ୱପ୍ନ ଆକାଶ ଛୁଆଁ । ଯେଉଁ ବୟସରେ ଖେଳକୁଦ କରିବା କଥା, ସ୍କୁଲ ଯିବା କଥା ଏବେ ପଡି ରହିଛି ମା କୋଳରେ । ଗତ କିଛି ଦିନ ହେଲା ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଖାଇବା ଛାଡି ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛି ସିମରନ ।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ମାସେ ତଳେ ଦେହ ଖରାପ ହେବାରୁ ବାପା ମା ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଦେଖାଇଥିଲେ । ପରେ ବୁର୍ଲା ଡାକ୍ତରଖାନାରେ ଝିଅକୁ ବ୍ରେନ ଟ୍ୟୁମର ହୋଇଛି ବୋଲି ଜାଣିବା ପରେ ସତେ ଯେପରି ପାଦ ତଳୁ ମାଟି ଖସିଯାଇଥିଲା ବାପା ମାଙ୍କର । ଆର୍ଥିକ ଅନାଟନରେ ଗତି କରୁଥିବା ଏହି ପରିବାର ଝିଅର ଚିକିତ୍ସା ପାଇଁ ଏବେ ଚିନ୍ତାରେ ।

ସହୟତା ପାଇଁ ଗୁହାରୀ କରୁଛନ୍ତି ବାପା, ମା
ଏହା ମଧ୍ୟରେ ପ୍ରଦୀପ ପାଖରେ ଥିବା ସବୁ ଟଙ୍କା ପଇସା ଖର୍ଚ୍ଚ ହୋଇଯାଇଥିବା ବେଳେ ସାହି ପଡିଶାଙ୍କ ସହଯୋଗରେ ଝିଅକୁ ଭୁବନେଶ୍ୱର ଏମ୍ସକୁ ନେଇ ଆସିଥିଲେ । ହେଲେ ସେଠାରେ ବି ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ । ସିମରନଙ୍କୁ ବଡ ଡାକ୍ତରଖାନା ନେବା ପାଇଁ ପ୍ରଦୀପଙ୍କ ପାଖରେ ସମ୍ବଳ ନ ଥିବା ବେଳେ ସରକାରୀ ସହାୟତା ହେଲେ ସିମରନଙ୍କୁ ଚିକିତ୍ସା କରାଇ ପାରିବେ ବୋଲି ବାପା ମା ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସାଧୀକାରୀଙ୍କୁ ସହାୟତା ପାଇଁ ଗୁହାରୀ କରିଛନ୍ତି । ସେପଟେ ସାହି ପଡିଶା ବି ଲାଗିପଡିଛନ୍ତି ଏହି ଗରିବ ପରିବାରକୁ କେମିତି ସହାୟତା କରିହେବ ।

ଯଦି ଓଡିଶା ବାହାରେ ବଡ ଡାକ୍ତରଖାନାରେ ସିମରନର ଚିକିତ୍ସା କରାଯାଏ, ତେବେ ନିଶ୍ଚୟ ଏହାର ରୋଗ ଠିକ୍ ହୋଇଯିବା । ହେଲେ ଏମାନଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ । ଯଦି କେହି ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସହାୟତା କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଫୋନ ନମ୍ବର ୭୬୮୧୦୦୯୫୪୪ ପ୍ରଦୀପ କୁମାର ସାହୁଙ୍କୁ ଯୋଗାଯୋଗ କରିପାରିବେ ।

Comments are closed.