ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ପାଇଁ ବଢୁଛି ଅଡୁଆ, ସିବିଆଇ ପରେ ଏବେ ଇଡି କରୁଛି ଜେରା

86

କନକ ବ୍ୟୁରୋ : ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତି ମାମଲାରେ ଏବେ ସିବିଆଇ ପରେ ଆକ୍ଟିଭ ହୋଇ ପ୍ରବର୍ତନ ନିର୍ଦ୍ଦେଶାଳୟ । ସଂପୃକ୍ତ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ତରଫରୁ ଆଜି ଜେଲ ଭିତରେ ଜେରା କରାଯାଉଛି । ସିସୋଦିଆଙ୍କୁ ସୋମବାର ଦିନ ଦିଲ୍ଲୀ ତିହାର ଜେଲକୁ ସ୍ତାନାନ୍ତର କରାଯାଇଥିଲା । ଏବେ ସେଠାରେ ତାଙ୍କର ବୟାନ ରେକର୍ଡ କରୁଛି ଇଡି ।

ସୂଚନା ଥାଉକି କଥିତ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ଏହାପରେ ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ହେପାଜତରେ ରଖିଥିଲା । ସୋମବାର ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ରାଓଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏଠାରେ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟଙ୍କ ନିକଟରେ ପ୍ରର୍ଥାନ କରାଯାଇଥିଲା । ଏହି ଅନୁରୋଧ ପରେ କୋର୍ଟ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହା ପରେ ଇଡି ତରଫରୁ କୋର୍ଟରେ ଆବେଦନ କରାଯାଇ ସିସୋଦିଆଙ୍କୁ ଜେଣା କରିବାକୁ ଅନୁମତି ମାଗିଥିଲେ । କୋର୍ଟ ତରଫରୁ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ଇଡିକୁ ୩ଦିନ ସମୟ ଦେଇଛି ।

କହିରଖୁ କି ୨୦୨୨ ଜୁଲାଇ ମାସରେ ଦିଲ୍ଲୀର ତକ୍ରାଳୀନ ମୁଖ୍ୟ ସଚିବ ଏହି ମାମଲାରେ ଉପ ରାଜ୍ୟପାଳ ବି.କେ ସକସେନାଙ୍କୁ ରିପୋର୍ଟ ଦେଇଥିଲା । ଏଥିରେ ଅବକାରୀ ନୀତିରେ ହେରଫେର ସହ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ମଦ ବ୍ୟବସାୟୀଙ୍କ ବେଆଇନ ଭାବେ ଠିକା ଦେଇଥିବା ଅଭିଯୋଗ ଥିଲା । ଏହି ରିପୋର୍ଟ ଆଧାରରେ ସିବିଆଇ ଅଗଷ୍ଟ ୧୭ ତାରିଖରେ ସିସୋଦିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।