କନକ ବ୍ୟୁରୋ: ରାଜ୍ୟରେ ରାଜସ୍ୱ ଆୟର ବଡ ମାଧ୍ୟମ ପାଲଟିଛି ମଦ ଦୋକାନ ଖୋଲିବା । ବିଧାନସଭାରେ ଅବକାରୀ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୨୦୧୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଅବକାରୀ ରାଜସ୍ୱ ରେକର୍ଡ ଛୁଇଁଛି । ଆଉ ବିଦେଶୀ ମଦରୁ ଆସିଛି ଅଧିକ ରାଜସ୍ୱ । ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ତେବେ ମୁଣ୍ଡପିଚ୍ଛା ମଦ ବ୍ୟବହାର କେଉଁ ବର୍ଷରେ କେତେ ପ୍ରତିଶତ ବଢିଛି ସେ ନେଇ ବିଧାନସଭାରେ ମନ୍ତ୍ରୀ କୌଣସି ଉତର ରଖିନାହାନ୍ତି ।
ରାଜ୍ୟରେ ମଦ ଦୋକାନ ସଂଖ୍ୟା ବଢିଛି । ଆଉ ତାକୁ ତାଳ ଦେଇ ରାଜସ୍ୱ ମଧ୍ୟ ବଢିଛି । ଅଧିକ ରାଜସ୍ୱ ପାଇଁ ମଦ ଦୋକାନ ଖୋଲିବାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ବିଧାସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ତଥ୍ୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅବକାରୀ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୨୨-୨୦୨୩ ବର୍ଷରେ
-୫୦୯ଟି ମୁଖ୍ୟ ମଦ ଦୋକାନ ଓ ୧୨୪୦ଟି ଶାଖା ମଦଦୋକାନ ରହିଛି
-୩୫ଟି ମିଲିଟାରୀ କ୍ୟାଂଟିନ ଓ ୪୬ଟି ବିୟର ପାର୍ଲର ରହିଛି
-ଠିପି ଖୋଲା ମଦଦୋକାନ ଅଛି ୬୭୩
ସବୁଠାରୁ ବଡ କଥା ହେଲା, ଏହି ସମୟ ମଧ୍ୟରେ ବିଦେଶୀ ମଦ ଓ ବିୟର ଅଧିକ ବିକ୍ରି ହୋଇଛି । ମଦ ବିକ୍ରି ସହ ରାଜସ୍ୱ ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।
୨୦୧୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଅବକାରୀ ରାଜସ୍ୱ ରେକର୍ଡ ଛୁଇଁଛି ।
-୨୦୧୨ ମସିହାରେ ରାଜ୍ୟରେ ଅବକାରୀ ରାଜସ୍ୱ ଥିଲା ୧୩୭୯ କୋଟି
-୨୦୨୨-୨୩ ବର୍ଷରେ ଏହା ୬୪୫୫ କୋଟି ହୋଇଛି, ଯାହାକି ଶତକଡା ୩୬୮ ପ୍ରତିଶତ ବୃଦ୍ଧି
-୨୦୨୧-୨୨ରେ ସର୍ବାଧିକ ୩୬.୩୯% ରାଜସ୍ୱ ବଢିଛି
ତେବେ ମୁଣ୍ଡପିଚ୍ଛା ମଦ ବ୍ୟବହାର କେଉଁ ବର୍ଷରେ କେତେ ପ୍ରତିଶତ ବଢିଛି, ସେ ସମ୍ପର୍କରେ କୌଣସି ତଥ୍ୟ ରାଜ୍ୟ ସରକାର ଦେଇନାହାନ୍ତି । ଅଧିକ ରାଜସ୍ୱ ପାଇଁ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଉଥିବାରୁ ମଦବିରୋଧୀ ଆନ୍ଦୋଳନକାରୀ ଚିନ୍ତା ପ୍ରକଟ କରିଛନ୍ତି ।
ବିହାରରେ ମଦବିକ୍ରୀକୁ ବନ୍ଦ କରାଯାଇଛି । ଆଉ ଓଡିଶାରେ ମଦ ବିକ୍ରୀ ନିଷେଧ କରିବା ପାଇଁ ଆନ୍ଦୋଳନ ଚାଲିଛି । କିନ୍ତୁ ଏହାର କୌଣସି ସୁଫଳ ମିଳିନାହିଁ । ବରଂ ରାଜସ୍ୱ ବୃଦ୍ଧି ପାଇଁ ସରକାର ଅଧିକ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରାଜସ୍ୱ ପାଇଁ ସରକାର ପର୍ଯ୍ୟଟନ ଓ ଶିଳ୍ପ ଉପରେ ଅଧିକ ଫୋକସ କରିପାରିଥାନ୍ତେ ବୋଲି ମତ ପ୍ରକାଶ ପାଇଛି ।