କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଉଭୟ ତଦନ୍ତକାରୀ ସଂସ୍ଥା ଚାର୍ଜସିଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁକୁ ଉଲ୍ଲେଖ କରିନାହାନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋସିଦିଆ । ଆମ୍ ଆଦମୀ ପାର୍ଟି ଏହି ଚାର୍ଜସିଟକୁ ସିସୋଦିଆଙ୍କ ପାଇଁ କ୍ଲିନଚିଟ୍ ବୋଲି କହିବା ଆରମ୍ଭ କରିଛି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଇଡିର ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାଁ ନାହିଁ ।

Advertisment

ଏଭଳି ମିଛ ମାମଲାରେ ମନୀଷଜଙ୍କୁ ଫସାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କ୍ଷମା ମାଗିବେ କି ? ଭଲ କାମ କରୁଥିବା ଲୋକଙ୍କୁ ଜେଲ ପଠାଇଲେ ଦେଶ କ’ଣ ଆଗକୁ ବଢ଼ିବ କି ? ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ୮୦୦ ଅଧିକାରୀଙ୍କ ଏକ ଟିମ୍ ୫୦୦ସ୍ଥାନ ଉପରେ ଚଢ଼ାଉ କରିବା ପରେ ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛନ୍ତି, ସେଥିରେ ତାଙ୍କର ନାଁ ନାହିଁ । ସିବିଆଇ ଏବଂ ଇଡିର ଚାର୍ଜସିଟ୍ ପ୍ରମାଣ କରିଛି ଯେ କୌଣସି ଅବକାରୀ ଦୁର୍ନୀତି ହୋଇ ନାହିଁ । ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ।