କନକ ବ୍ୟୁରୋ: ସରକାରୀ କୋଠାରେ ଚାଲିଥିଲା ମଦ ବେପାର । ଆରଏସପି କ୍ୱାର୍ଟରରେ ନକଲି ମଦ କାରଖାନା ଚାଲିଥିଲା । ଷ୍ଟିଲସିଟି ରାଉରକେଲାର ସେକ୍ଟର ୧୯ ସ୍ଥିତ ଏକ ଆରଏସପି କ୍ୱାର୍ଟରରେ ବର୍ଷ ବର୍ଷ ଧରି ନକଲି ମଦ କାରଖାନା ଚାଲିଥିଲା । ଜନବସତି ମଧ୍ୟରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ହେଁ ପୋଲିସ କିମ୍ବା ଅବକାରୀ ବିଭାଗ ଏହାର ଟେର ପାଉନଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଧିରେ ଧିରେ କାୟା ବିସ୍ତାର କରୁଥିବା ଚୋରା ମଦ ବେପାର ଚେର କେଉଁଠୁ ଲମ୍ବିଥିଲା ତା’ର ସୁରାକ ପାଉନଥିଲା ପୋଲିସ । ଲୋକମାନେ ବାରମ୍ବାର ଅଭିଯୋଗ କରିବା ପରେ ବି କେହି ଶୁଣୁନଥିଲେ । କିନ୍ତୁ ସହରରେ ଏହି ମଦ ବେପାରକୁ ନେଇ ଚର୍ଚ୍ଚା ହେବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍ୱାର୍ଡ ଆଜି ଚଢାଉ କରିଥିଲେ । ଚଢାଉ ବେଳେ ସାଢେ ୩ ଲକ୍ଷ ଟଙ୍କାର ୫୩୦ ଲିଟର ନକଲି ମଦ ଜବତ ହେବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଗଙ୍ଗାଧର ସାହୁ, ଅରୁଣାଂଚଳ ପ୍ରଦେଶରୁ ଶସ୍ତାରେ ମଦ କିଣି ଆଣି ନାମିଦାମି ବ୍ରାଣ୍ଡର ବୋତଲରେ ଭର୍ତ୍ତି କରି ବିକ୍ରି କରୁଥିଲା ।