କରୋନା ରୋଗୀଙ୍କୁ ନାଲିପାଣି । ହସ୍ପିଟାଲରେ ଭର୍ତ୍ତି ଥିବା କରୋନା ଆକ୍ରାନ୍ତଙ୍କ ପାଖକୁ ରଶିରେ ବାନ୍ଧି ପଠାଯାଉଛି ମଦ ବୋତଲ ।

1,036

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଲଲିତପୁର ଅନ୍ତର୍ଗତ ଟେକ୍ରି ଗ୍ରାମରେ ଅସ୍ଥାୟୀ କୋଭିଡ -୧୯ ଏଲଭେନ ହସ୍ପିଟାଲ କରାଯାଇଛି । ଏହି ହସ୍ପିଟାଲରୁ କିଛି ଚିତ୍ର ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ କିଛି କରୋନା ରୋଗୀ ଦଉଡି ସାହାଯ୍ୟରେ ଜିନିଷ ଟାଣି ନେଉଛନ୍ତି । ପରିବାରଲୋକ ସାମାଜିକ ଦୂରତା ଅବଲମ୍ବନ କରି ଖାଦ୍ୟ ସାମଗ୍ରୀ ପାଖକୁ ନେଇ ଯାଇ ପାରୁନଥିବାରୁ ଦଉଡି ମାଧ୍ୟମରେ ସାମଗ୍ରୀ ନିଜର କରୋନା ସଂକମ୍ରିତ ସମ୍ପର୍କୀୟଙ୍କ ପାଖକୁ ପଠାଉଛନ୍ତି । ତେବେ ଏହି ଦଉଡ଼ି ସାହାଯ୍ୟରେ କିଛିଲୋକ ନିଜ ସମ୍ପର୍କୀୟ ରୋଗୀଙ୍କ ପାଖକୁ ମଦ ପଠାଉଥିବା ଦେଖିବାକୁ ମିଳିଛି ।

ରବିବାର ଦିନ ଏହି ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସିଏମଓ ତାଲବେହଟ ପୁଲିସକୁ ତଦନ୍ତ ପାଇଁ ପଠାଇଛି । କୋଭିଡ ରୋଗୀଙ୍କୁ ଅଲଗା କରିବା ପାଇଁ ଲଲିତପୁର ତହସିଲ ଅନ୍ତର୍ଗତ ଗ୍ରାମ ଟେକ୍ରିରେ ଥିବା ପଲିଟେକ୍ନିକ୍ କଲେଜରେ ଏକ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନେ ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଠାରୁ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଜଣେ ରୋଗୀ ଛାତରୁ ଏକ ଦଉଡି ତଳକୁ ଫୋପାଡି ଦେଉଛନ୍ତି । ତଳେ ଥିବା କିଛି ଲୋକ ସାମଗ୍ରୀ ବାନ୍ଧୁଥିବା ଦେଖିବାକୁ ମିଳୁଛି । ଏହାପରେ କରୋନା ରୋଗୀ ସାମଗ୍ରୀଗୁଡ଼ିକୁ ଉପରକୁ ଟାଣି ନେଉଛନ୍ତି ।

ସ୍ଥାନୀୟ ଲୋକମାନେ କହିବାନୁସାରେ, କରୋନା ରୋଗୀମାନଙ୍କୁ ସେମାନଙ୍କ ସମ୍ପର୍କୀୟ ମଦ ପଠାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରତାପ ପଟେଲ କହିଛନ୍ତି ଯେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ବ ପୁଲିସ ପାଖରେ ଅଛି । ପୁଲିସକୁ ଏଥିପାଇଁ ହସ୍ପିଟାଲ ପରିସରରେ ନିୟୋଜିତ ବି କରାଯାଇଛି । ଅନୁସନ୍ଧାନ ପରେ ସମଗ୍ର ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।