ତାଲା ପଡ଼ିଛି ହେଲେ କାରବାର ଚାଲିଛି । ହ୍ୱାଟ୍ସଆପ ଗ୍ରୁପରେ ହେଉଛି ମଦର କଳାବଜାରୀ, ପୋଲିସ ପଞ୍ଝାରେ ପଡ଼ିଲା ୯୦୦ ପେଟି ବିଦେଶୀ ମଦ

669

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ମଦଦୋକାନରେ ସିନା ତାଲା ପଡ଼ିଛି, ହେଲେ ମଦର କଳାବଜାରୀ କରିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ । ୱାଟ୍ସଆପ୍ ଗ୍ରୁପ ଜରିଆରେ ଚାଲିଛି ମଦର ବ୍ୟାପକ ବେଆଇନ କାରବାର । ଏଭଳି ଅଭିଯୋଗ ଆସିଛି ଅନୁଗୁଳ ସହରରୁ । ହ୍ୱାଟ୍ସଆପ୍ ଗ୍ରୁପରେ ବିଦେଶୀ ମଦର ବିବରଣୀ ସହ ମୂଲ୍ୟ ଧାର୍ଯ୍ୟ କରା ଯାଉଛି ଏବଂ ଏଥିପାଇଁ ମନଇଚ୍ଛା ଦାମ କଷୁଛନ୍ତିି କଳା ବେପାରୀ । ଗ୍ରାହକ ଅର୍ଡର ଦେବା ମାତ୍ରେ ସେମାନଙ୍କ ପାଖରେ ପହଁଚି ଯାଉଛି ମଦ ।

ଅନୁଗୁଳରେ ମଦର କଳା ବ୍ୟବସାୟକୁ ରୋକିବାରେ ଅବକାରୀ ବିଭାଗ ବିଫଳ ହୋଇଥିବା ବେଳେ ଭଂଜନଗରରୁ ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ବିଦେଶୀ ମଦ । ଚା’ ଦୋକାନରେ ଚା’ କେଟିଲରେ ମଦ ବିକ୍ରି ହେଉଥିବା ଖବର ପାଇବା ପରେ ପୋଲିସ ଆରମ୍ଭ କରିଥିଲା ଜୋରଦାର ଚଢାଉ । ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡିଥିଲା ମାଲ ବୋଝେଇ ଟ୍ରକ । ଟ୍ରକରୁ ୯୦୦ ପେଟି ବିଦେଶୀ ମଦ ଜବତ କରାଯାଇଛି । ଯାହାର ବଜାର ଦର ପ୍ରାୟ ଏକ କୋଟି ହେବ ବୋଲି ଅନୁମାନ କରାଯାଉଛି । ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଥିବା ବେଳେ ଗାଡି ମାଲିକ ଓ ମଦ କାରବାରର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ ।

ସେହିପରି ଆଠଗଡ ଅଂଚଳରୁ ୨ଟି କାରରୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି । ଆଠଗଡ ଅଂଚଳରୁ ଏହି ମଦ କଟକର ବିଭିନ୍ନ ଅଂଚଳକୁ ଚାଲାଣ ହେଉଥିଲା । ଏହା ସହିତ ବାରଙ୍ଗ ଅଂଚଳରୁ ମଦ ଚାଲଣ କରାଯାଉଥିବା ଏକ ସ୍କୁଟି ବି ଜବତ ହୋଇଛି । କଟକ ଅବକାରୀ ବିଭାଗର ସ୍ପେଶାଲ ଟିମ୍ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ତାଲାବନ୍ଦ ବେଳେ ମଦଦୋକାନ ବନ୍ଦ ଥିବାରୁ ସାରା ରାଜ୍ୟରେ ମାତି ଉଠିଛନ୍ତି ଚୋରା ବେପାରୀ । ଚଢ଼ା ଦାମରେ ବିକି ମାଲମାଲ ହେଉଛନ୍ତି ।