କନକ ବ୍ୟୁରୋ: ଓଡିଶା ପାଇଁ ସଫଳତା ଆଣିଛନ୍ତି ବରଗଡର ଝିଅ ଲିପିକା ସେଠ୍ । ଋଷିଆର ମାଉଣ୍ଟ ଏଲବ୍ରସ ଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୃଙ୍ଗର ଉଚ୍ଚତା ପ୍ରାୟ ୫ ହଜାର ୬୪୨ ମିଟର ବା ୧୮ ହଜାର ୫୧୦ଫୁଟ । ଏହି ଗିରିଶୃଙ୍ଗ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ ତଥା ଦ୍ୱିତୀୟ ମହିଳା ପ୍ରତିଯୋଗୀ ।
ଲିପିକାଙ୍କ ଘର ବରଗଡ ଜିଲ୍ଲା ଡଲବା ଅଞ୍ଚଳରେ । ଗତ ସେପ୍ଟେମ୍ୱର ୨୮ ତାରିଖରେ ଋଷିଆର ଉଚ୍ଚତମ ଗିରିଶୃଙ୍ଗ ମାଉଁଟ ଏଲବ୍ରସ ଆରୋହଣରେ ବାହାରିଥିଲେ ଲିପିକା ସେଠ୍ । ୫ ଅକ୍ଟୋବରରେ ଋଷର ସମୟ ରାତି ପ୍ରାୟ ଗୋଟିଏ ସମୟରେ ସେ ସାଥୀଙ୍କ ସହିତ ବେସ୍ କ୍ୟାମ୍ପ ଛାଡିଥିଲେ । ତେବେ ସକାଳ ୯ଟାରେ ସାଥୀ ପର୍ବତାରୋହଣକାରୀଙ୍କ ଠାରୁ ଗୋଟିଏ ଘଂଟା ଆଗରୁ ମାଉଁଟ ଏଲବ୍ରସ ଶିଖରରେ ପାଦ ରଖିଥିଲେ ସେ । ମାଉଁଟ ଏଲବ୍ରସ ବିଜୟୀ ହେବା ପରେ ଶିଖରରେ ଜାତୀୟ ପତାକା ଉଡାଇବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ ।
ଆରମ୍ଭରୁ ମନ୍ଥର ଚାଲିବା କାରଣରୁ ତାଙ୍କୁ ପର୍ବତାରୋହଣରୁ ଓହରି ଯିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଦୃଢ ମନୋବଳ, ପ୍ରବଳ ଇଛା ଶକ୍ତି ଏବଂ ନିଜର ଲଢୁଆ ମନୋଭାବ କାରଣରୁ ଶେଷରେ ସଫଳତାର ଶିଖର ଛୁଇଁଲେ ବରଗଡର ଝିଅ ଲିପିକା ସେଠ୍ । ମାଉଣ୍ଟ ଏଲବ୍ରସ ହେଉଛି ୟୁରୋପ ମହାଦେଶର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ । ମାଉଁଟ ଏଲବ୍ରସ ବିଜୟୀ ହେବା ପରେ ଆସନ୍ତା ଡିସେମ୍ୱର ମାସରେ ଆମେରିକାର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଆକାନକାଗୁଆ ଯାହାର ଉଚତା ୬ ହଜାର ୯୬୨ ମିଟର ,ତାକୁ ଆରୋହଣ କରିବା ଯୋଜନା ରଖିଛନ୍ତି । ପୂର୍ବରୁ ସେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ କିଲମାଞ୍ଜାରୋକୁ ଆରୋହଣ କରିବାରେ ସଫଳତା ହାସଲ କରିଥିଲେ । ମାଉଁଟ ଏଲବ୍ରସ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ ପର୍ବାତାରୋହୀ । ସ୍ୱର୍ଗତ କଳ୍ପନା ଦାଶ, ଯୋଗବ୍ୟାସ ଭୋଇ, ଗଣେଶ ଜେନା, ଦେବୀଦତ୍ତ ପଣ୍ଡା, ଶାନ୍ତିସ୍ୱରୂପ ଦାସ, ନୃସିଂହ ଚରଣ ସାହୁ, ମଧୁସୂଦନ ପଟ୍ଟେଦାର ମାଉଁଟ ଏଲବ୍ରସକୁ ସଫଳତାର ସହ ଆରୋହଣ କରିଥିଲେ