କନକ ବ୍ୟୁରୋ: ଏ ଖୁସି ୧୭ ବର୍ଷ ଅପେକ୍ଷାର...ଏ ଚିତ୍ର ଚାମ୍ପିୟନ୍ ହେବାର । ଏ ମ୍ୟାଚ୍...ବିଦାୟ ପୂର୍ବରୁ, ବଡ ବିଜୟର । ଏ ଦୃଶ୍ୟ ଫିଫା ବିଶ୍ୱକପ୍ ଟ୍ରଫିକୁ ଟେକି ଧରିବାର । ହଁ...ଏମିତି ଗୋଟେ ସମୟକୁ ହିଁ ତ ୧୭ ବର୍ଷ ହେଲା ଅପେକ୍ଷା କରି ରହିଥିଲେ ଫୁଟବଲ ଦୁନିଆର ଏ ମହାନ ଖେଳାଳି ଲିଓନେଲ୍ ମେସି । ଯାହା ଏବେ ସତ ହେଇଛି । ତାଙ୍କ ସ୍ୱପ୍ନ ସାକାର ହେଇଛି ।
ଫିଫା ବିଶ୍ୱକପ୍ ଫାଇନାଲରେ ଫ୍ରାନ୍ସକୁ ହରେଇ ଚାମ୍ପିୟନ୍ ହେଇଛି ଆର୍ଜେଣ୍ଟିନା । ଫାଇନାଲ ମ୍ୟାଚର ପେନାଲଟି ସୁଟଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ହରେଇଛି ଲିଓନେଲ୍ ମେସିଙ୍କ ଦଳ । ତେବେ ଫିଫା ବିଶ୍ୱକପର ଏ ମ୍ୟାଚ୍, ଖାଲି ମେସିଙ୍କୁ ଟ୍ରଫି ଦେଇନି, ବରଂ ୩୬ ବର୍ଷ ଧରି ବିଶ୍ୱକପ୍ ବିଜୟର ସ୍ୱପ୍ନ ଦେଖୁଥିବା ପ୍ରତିଟି ଆର୍ଜେଣ୍ଟିନାବାସୀଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛି ।
୧୯୭୮ ଆଉ ୧୯୮୬ରେ ଫିଫା ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା, ଏହା ପରଠୁ ଆଉ କେବେ ଚାମ୍ପିୟନ୍ ହେଇପାରିନଥିଲା । ମେସି ମଧ୍ୟ ୧୭ ବର୍ଷର କ୍ୟାରିୟରରେ ଏମିତି ବିଜୟ କେବେ ବି ପାଇପାରିନଥିଲେ । ହେଲେ ୨୦୨୨ ଫିଫା ବିଶ୍ୱକପ୍, ସେ ସବୁ ସ୍ୱପ୍ନକୁ ପୂରା କରିଛି । ସେ ସବୁ ଆଶା ଆଜି ସତ ହେଇଛି । ମେସି ତାଙ୍କ ଶେଷ ବିଶ୍ୱକପରେ ଏ ଟ୍ରଫିକୁ ଟେକି ଧରିବା ସହ ବିଦାୟ ନେଇଛନ୍ତି ।
ଏ ବିଶ୍ୱକପ୍ ଖାଲି ବିଜୟ ଆଉ ଖୁସି ନୁହେଁ ପରାଜୟ ଆଉ ନିରାଶା ବି ଦେଇଛି । ଗୋଟିଏ ପଟେ ଆର୍ଜେଣ୍ଟିନା ବିଶ୍ୱକପ୍ ବିଜୟର ଖୁସି ମନେଇଛି । ଆଉ ଅନ୍ୟପଟେ ଲଢେଇ କରି ହାରିଯାଇଛି ଫ୍ରାନ୍ସ । ଫାଇନାଲ ମ୍ୟାଚରେ ଏମବାପେଙ୍କ ପ୍ରତିଟି ଗୋଲ ଫ୍ରାନ୍ସର ଫ୍ୟାନ୍ସଙ୍କ ଭିତରେ ଜୀବନ ଭରୁଥିଲା । ପଡିଆ ଭିତରେ ତାଙ୍କର ଜିତିବାର ପ୍ରୟାସ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ଏ ସବୁ ପରେ ବି, ଚାମ୍ପିୟନ ହେବାଠୁ ଅଳ୍ପ ଦୂରରେ ରହି ଏଥର ବିଶ୍ୱକପ୍ ଅଭିଯାନ ଶେଷ କରିଛି ଫ୍ରାନ୍ସ ଦଳ ।
ଶେଷ ହୋଇଛି ଫିଫା ବିଶ୍ୱକପ୍ ଚାମ୍ପିୟନ୍ ହେଇଛି ଆର୍ଜେଣ୍ଟିନା । ବିଦାୟ ନେଇଛନ୍ତି ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି । ୩୨ ଦଳକୁ ନେଇ ଖେଳାଯାଇଥିବା ଏ ଟୁର୍ଣ୍ଣାମେଟରେ ଏଥର, ଯେତିକି ରୋମାଞ୍ଚ ଦେଖାଯାଇଥିଲା, ସେତିକି ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଅପେକ୍ଷା ଆଉ ଚାରି ବର୍ଷକୁ...ଏବେ ଅପେକ୍ଷା ୨୦୨୬ ଫିଫା ବିଶ୍ୱକପକୁ ।
Follow Us