ପ୍ରଶାନ୍ତଙ୍କ ପ୍ରେମରେ ସିଂହ ଶାବକ । ଦଣ୍ଡେ ନଦେଖିଲେ ବ୍ୟସ୍ତ ବିବ୍ରତ ହୋଇପଡୁଛି ବର୍ଷା ।

168

କନକ ବ୍ୟୁରୋ : ନନ୍ଦନକାନନର ସିଂହ ଶାବକ ବର୍ଷା ଓ ପ୍ରଶାନ୍ତଙ୍କ ପ୍ରେମ ଏବେ ସବୁଠି ଚର୍ଚ୍ଚାରେ । ଜନ୍ମରୁ ପ୍ରଶାନ୍ତଙ୍କ ସହ ରହିଥିବା ବର୍ଷା ଧିରେ ଧିରେ ବଡ ହେଉଛି । ଖୁବ ଶୀଘ୍ର ଛୋଟ ଖୁଆଡ ଛାଡି ବଡ ଖୁଆଡକୁ ଯିବ । ନିଜ ପରିବାରକୁ ଭେଟିବ । ଏଥିପାଇଁ ଚାଲିଛି ତାର ପ୍ରଶିକ୍ଷଣ । ତେବେ ଅନ୍ୟ ସିଂହ ମେଳରେ ରହିଲେ କିଛି ଦିନ ଭିତରେ ତାର ଆଚରଣ ପରିବର୍ତ୍ତନ ହୋଇଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

ସିଂହ ଓ ମଣିଷର ଭଲପାଇବାର ଏଭଳି କାହାଣୀ ଫିଲ୍ମରେ ଦେଖିବାକୁ ମିଳେ । କିନ୍ତୁ ସିଂହ ଶାବକ ବର୍ଷା ଓ ପଶୁପାଳକ ପ୍ରଶାନ୍ତଙ୍କ ଭିତରେ ଥିବା ଅନାବିଳ ପ୍ରେମ ଏବେ ସଭିଙ୍କ ମୁହଁରେ । ଧିରେ ଧିରେ ବଡ ହେଉଛି ବର୍ଷା । ଆଉ ଏହି ୬ ମାସ ଭିତରେ ଭଲ ବନ୍ଧୁ ଭାବେ ବର୍ଷା ପାଇଛି ପ୍ରଶାନ୍ତଙ୍କୁ । ଆଖି ଖୋଲିବାଠାରୁ ଶୋଇବା ଯାଏଁ ପ୍ରଶାନ୍ତ ସହ ସେ ବିତାଉଛି ସମୟ । ଦଣ୍ଡେ ନଦେଖିଲେ ବ୍ୟସ୍ତ ବିବ୍ରତ ହୋଇପଡୁଛି ବର୍ଷା । ଆଉ ପାଖରେ ପାଇଲେ ମନଭରି ଗେହ୍ଲା ହେଉଛି । ଯେମିତି ମା-ବାପା ପାଖରେ ହୋଇଥାଏ ଛୁଆ । ହେଲେ, ଆଉ କେଇ ଦିନ ଭିତରେ ଏମାନଙ୍କୁ ଅଲଗା ହେବାକୁ ପଡିବ ।

ନିୟମ ଅନୁୟାୟୀ ଜନ୍ମ ହେବାର ୬-୭ ମାସ ପରେ ବଡ ଏନକ୍ଲୋଜରକୁ ସିଂହ ଶାବକକୁ ପଠାଯାଏ । ଏହି ନିୟମରେ ବର୍ଷା ବି ବନ୍ଧା । ଏଥିପାଇଁ ପ୍ରଶିକ୍ଷଣ ନେଉଛି ବର୍ଷା । ବର୍ଷା ଦୂରେଇ ଗଲେ ବହୁ କଷ୍ଟ ହେବ ବୋଲି କହିଛନ୍ତି ପ୍ରଶାନ୍ତ ।

ବିଶେଷଜ୍ଞଙ୍କ କହିବା ଅନୁୟାୟୀ , ସିଂହ ଶାବକ ଜନ୍ମ ହେବା ଠାରୁ ଦୁଇ ବର୍ଷ ଯାଏଁ ମା ସହିତ ସମୟ ବିତାନ୍ତି । ଜଙ୍ଗଲରେ ବୁଲିବା ସହ ଶିକାର କରିବା ଶିଖନ୍ତି । କିନ୍ତୁ ଜନ୍ମ ପରଠାରୁ ବର୍ଷାର ଭଲ ମନ୍ଦ ବୁଝିନି ମା ବିଜଲୀ । ଜନ୍ମ ପରଠାରୁ ବୋତଲରେ କ୍ଷୀର ପିଇଛି ବର୍ଷା । ଏବେ ଧିରେ ଧିରେ ମାଂସ ଖାଇବା ଶିଖୁଛି । ଜନ୍ମ ପରଠାରୁ ମଣିଷ ଗହଣରେ ରହିଥିବାରୁ ଅନ୍ୟ ସିଂହ ଭଳି ଆଚରଣ ବି କରୁନି । କିନ୍ତୁ ଅନ୍ୟ ସିଂହ ମେଳରେ ରହିଲେ କିଛି ଦିନ ଭିତରେ ଆଚରଣ ପରିବର୍ତନ ହୋଇଯିବ ବୋଲି କହିଛନ୍ତି ବିଶେଷଜ୍ଞ । ୨୬ ବର୍ଷର ପ୍ରଶାନ୍ତ ନିଜ ପ୍ରେମ ବନ୍ଧନରେ ସିଂହ ଶାବକକୁ ଅତି ନିଜର କରିପାରିଛନ୍ତି । ପ୍ରଶାନ୍ତ ଓ ସିଂହ ଛୁଆର ଏହି ଭଲ ପାଇବା ବେଶ ପ୍ରଶଂସା ସାଉଁଟୁଛି ।