ଆଜି ଠାରୁ ସେବାୟତ, ୩ ତାରିଖରୁ ଭୁବନେଶ୍ୱରବାସୀ ଓ ୬ ତାରିଖରୁ ସମସ୍ତ ଭକ୍ତଙ୍କୁ ମିଳିବ ଲିଙ୍ଗରାଜ ଦର୍ଶନର ସୁବିଧା । ମନ୍ଦିର ପ୍ରବେଶ ପୂର୍ବରୁ ଦେଖାଇବାକୁ ହେବ କୋଭିଡ୍ ନେଗେଟିଭ୍ ରିପୋର୍ଟ

162

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିବ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ହେଲେ ଆଜି ଠାରୁ ଆଜି ସେବାୟତଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ପୁରୀ ଶ୍ରୀମନ୍ଦିର ଢାଂଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବେ କେବଳ ସେବାୟତ ଓ ସେମାନଙ୍କ ପରିବାର । ଆଜିିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ । ତେବେ କେବଳ କୋଭିଡ କଟକଣା ଭିତରେ ଏହି ଦର୍ଶନ ଅନୁମତି ଦିଆଯିବ । ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଦର୍ଶନ । ଜାନୁଆରୀ ୧ ଓ ୨ ତାରିଖରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି କରିଛି ଭୁବନେଶ୍ୱର ମହାନଗର ନିଗମ । ୩ ତାରିଖରୁ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ । ଏଥିପାଇଁ ଅନ୍ୟୁନ ୫ ଦିନ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ ଭକ୍ତ । ଅର୍ଥାତ କୋଭିଡ ନେଗେଟିଭ ଥିଲେ ହିଁ ଦର୍ଶନ ଅନୁମତି ମିଳିବ । ଏଥିପାଇଁ ମନ୍ଦିର ବାହାରେ ଥର୍ମାଲ ସ୍କ୍ରିନିଂ ଓ ଆଟିଜେନ ଟେଷ୍ଟ ସେଂଟର ଖୋଲିବ ବିଏମସି । ଜାନୁଆରୀ ୬ ତାରିଖ ପରେ ଭୁବନେଶ୍ୱର ବାହାର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ । ହେଲେ ଜାନୁଆରୀ ୩୧ ତାରିଖ ଯାଏଁ ସାହାଣ ଦର୍ଶନ ବା ଗର୍ଭଗୃହ ଦର୍ଶନ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କହିରଖୁ କି ରାଜ୍ୟରେ ଥିବା ସମସ୍ତ ବଡ ବଡ ମନ୍ଦିର ଖୋଲିବାକୁ ସରକାର ପ୍ରୟାସ କରୁଛନ୍ତି । ଏହି ପରିପେକ୍ଷୀରେ ପ୍ରଥମେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କୋଭିଡ କଟକଣା ଭିତରେ ଖୋଲା ଯାଇଥିବା ବେଳେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ମହାବାହୂଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି । ଅନ୍ୟ ପଟେ କରୋନା ଗ୍ରାଫ୍ ରାଜ୍ୟରେ ଦୈନିକ ହ୍ରାସ ପାଉଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର ।