ଆଜିଠୁ ଲିଙ୍ଗରାଜରେ ସର୍ବସାଧାରଣ ଦର୍ଶନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର

51

କନକ ବ୍ୟୁରୋ: ଆଜିଠୁ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ୍ କଟକଣା ଭିତରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଡିସେମ୍ବର ୨୭ ତାରିଖରୁ ୩୧ ପର୍ଯ୍ୟନ୍ତ ସେବାୟତଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ତାପରେ ନୂଆବର୍ଷରେ ମନ୍ଦିର ୨ ଦିନ ବନ୍ଦ ରହିବା ପରେ ପୁଣି ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେଇଥିଲା ପ୍ରଶାସନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଉଛି । ଏଥିପାଇଁ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ।

ଅନ୍ୟପଟେ, ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ । ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଚିନ୍ତାରେ ପଡିଥିଲା ପ୍ରଶାସନ । ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ନେଇ ପ୍ରଥମେ କଟକଣା ଲଗାଇଥିଲେ ସିଡିଏମଓ । ଫଳରେ ଅନେକ ପର୍ଯ୍ୟଟକ କରୋନା ଟେଷ୍ଟ କରିପାରିନଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏବେ ଏହି କଟକଣାକୁ ଉଠାଇ ନିୟନ୍ତ୍ରଣ ରଖି ଘରୋଇ ହସ୍ପିଟାଲ କୋଭିଡ ପରୀକ୍ଷା କରିପାରିବେ ବୋଲି ସିଡିଏମଓ କହିଛନ୍ତି ।