୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?

125

କନକ ବ୍ୟୁରୋ  : ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର  । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।

ତେବେ ୩ରୁ ଭକ୍ତଙ୍କ ପାଇଁ ଖୋଲାଯିବ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏହାବାଦ୍ ଆସନ୍ତା ୨୫ରେ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ । କିନ୍ତୁ ଏଥିପାଇଁ ଅନେକ ଗୁଡିଏ କଟକଣା ରହିବ । ଯେପରିକି କରୋନା ଗାଇଡଲାଇନ ପାଳନ ସହ ଯେପରି ଅଧିକ ଲୋକ ଜମା ନୁହଁନ୍ତି ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ସେହିଭଳି ଅଣ୍ଡରଟେକିଂ ଦେଇ ଆସନ୍ତା ୩ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିପାରିବ ବୋଲି କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ ।