ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର : ଆଡପ କାଠ ନିକଟରୁ କରିବେ ଦର୍ଶନ, ଭକ୍ତଙ୍କୁ ଗର୍ଭଗୃହ ପ୍ରବେଶ ମନା; ଦର୍ଶନ ପାଇଁ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ

143

କନକ ବ୍ୟୁରୋ : ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଏନେଇ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧକ୍ଷତାରେ ବସିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ଆଡପ କାଠ ନିକଟରୁ କରିବେ ଦର୍ଶନ କରିବେ ।

ଦର୍ଶନ ପାଇଁ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ । ଅର୍ଥାତ କୋଭିଡ୍ ଟିକାର ୨ ଟି ଡୋଜ୍ ନେଇଥିବା ଭକ୍ତମାନେ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିବାରୁ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ମାସରେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱରରେ ସଂକ୍ରମଣ ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବରୀ, ମା’ ପାର୍ବତୀଙ୍କ ପାଇଁ ତିନୋଟି ରୁପା ପ୍ରଭା ତିଆରି କରାଯିବ । ଏହି ରୁପା ପ୍ରଭା ପାଇଁ ଆବଶ୍ୟକ ରୁପା ସହ ସମସ୍ତ ନିର୍ମାଣ ଖର୍ଚ୍ଚ ଭୁବନେଶ୍ବରର ଶିବପ୍ରସାଦ ପଣ୍ଡା ବହନ କରିବେ । ସେ ଦେଇଥିବା ପ୍ରସ୍ତାବକୁ ଆଜି ବୋର୍ଡ ଗ୍ରହଣ କରିଛି । ସେହିଭଳି ମହାପ୍ରଭୁଙ୍କର ଶହେ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ମଧ୍ୟ ନୂଆ ତିଆରି ହେବ । ଏହାର ସମସ୍ତ ଖର୍ଚ୍ଚ ସୋଆ ବିଶ୍ବବିଦ୍ୟାଳୟ ବହନ କରିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି ।