କନକ ବ୍ୟୁରୋ : ଆସନ୍ତା ୨୩ରେ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନେଇ ନିଷ୍ପତି ହୋଇଛି । ପାୟ ୯ମାସ ଧରି ବନ୍ଦ ରହିବା ପରେ ଆସନ୍ତା ୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର । କଟକଣା ଭିତରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏଠାରେ ବି କରୋନା ନେଗେଟିଭ ସାର୍ଟିଫିକେଟ ଦରକାର । ୪୮ ଘଂଟା ଆଗରୁ ଟେଷ୍ଟ କରାଇ ରିପୋର୍ଟ ଦେଖାଇବାକୁ ପଡିବ ।
ଭଗବାନଙ୍କୁ ମନ୍ଦିର ଭିତରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ପାଇଁ ୟାଠୁ ବଡ଼ ଖୁସି ଖବର ବା କ’ଣ ଥାଇପାରେ । ଦୀର୍ଘ ମାସର ବ୍ୟବଧାନ ପରେ ଖୋଲିବାକୁ ଯାଉଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ସମସ୍ତେ ଅପେକ୍ଷା କରି ରହିଥିଲେ କେବେ ଲିଙ୍କରାଜଙ୍କ ମନ୍ଦିର ଖୋଲିବ । ଆଉ ଏହି ପ୍ରଶ୍ନର ଉତ୍ତର ଆସିଯାଇଛି । ଆସନ୍ତା ୨୭ ତାରିଖରୁ ଖୋଲିବ ମନ୍ଦିର ।
୨୭ ତାରିଖ ମନ୍ଦିର ଖୋଲିବା ପାଇଁ ନିଷ୍ପତି ହୋଇଥିବା ବେଳେ ୨୭ରୁ ୩୧ ଯାଏଁ ସେବାୟତ ଏବଂ ସେବାୟତଙ୍କ ପରିବାର ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଜାନୁୟାରୀ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ହୋଇଛି । ସେହିପରି ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ବାସିନ୍ଦା ଦର୍ଶନ କରିବେ । ଆଉ ୬ ତାରିଖରୁ ୩୧ ତାରିଖ ଯାଏଁ ସର୍ବସାଧାରଣ ଭକ୍ତ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଦର୍ଶନ ବେଳେ ସାମାଜିକ ଦୂରତା, ମାସ୍କ, ସାନିଟାଇଜ୍ ଆଦି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।
ଏପଟେ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେଇପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେବେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି, କେମିତି ମନ୍ଦିର ଖୋଲାଯାଇପାରିବ ସେ ସମ୍ପର୍କରେ ରିପୋର୍ଟ ଦେବାକୁ ହାଇକୋର୍ଟ ଦେବୋତର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଉତ୍ତର ରାଜ୍ୟର ପ୍ରାୟ ୧୮ ହଜାର ମନ୍ଦିର ଖୋଲିବା ନେଇ ଦେବୋତର କମିଶନ୍ ୧୨ଟି ପ୍ରସ୍ତାବ ରଖିଥିଲେ । ନଜର ପକାନ୍ତୁ ଦେବୋତର କମିଶନ ଯେଉଁ ସବୁ ପ୍ରସ୍ତାବ ଦେଇଥିଲେ ।
ଏମିତି ଖୋଲିବ ମନ୍ଦିର
- କୋଭିଡ୍ ନିୟମକୁ ପାଳନ କରି ମନ୍ଦିର ପବେଶ ଓ ପ୍ରସ୍ଥାନ ହେବ
- ମନ୍ଦିର ଭିତରେ ଭକ୍ତ ଓ ସେବାୟତଙ୍କ ସଂଖ୍ୟା ୫ରୁ ଅଧକ ରହିବ ନାହିଁ
- ମନ୍ଦିର ପ୍ରବେଶ ସମୟରେ ଭକ୍ତ ଓ ସେବାୟତ ନିଜକୁ ସାନିଟାଇଜ୍ କରିବେ
- ଭକ୍ତ ଓ ସେବାୟତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ହେବା ଉଚିତ
- ଭକ୍ତମାନେ ମନ୍ଦିର ଭିତରେ ଅତି କମ ସମୟ ପାଇଁ ରହିବେ
- ସ୍ୱତନ୍ତ୍ର ପୂଜାବିଧିରେ ସର୍ବାଧିକ ୫ଜଣ ରହିପାରିବେ
- ଭକ୍ତ ଓ ସେବାୟତଙ୍କ ମଧ୍ୟରେ ସମାଜିକ ଦୂରତା କଡ଼ାକଡ଼ି ପାଳନ ହେବ
- ମନ୍ଦିର ପରିଚାଳନା କମିଟି କମ ସେବାୟତଙ୍କୁ ପୂଜାସେବା ଓ ରୀତିନୀତି ପାଇଁ ଅନୁମତି ଦେବ
- ନିୟମିତ ବ୍ୟବଧାନରେ ମନ୍ଦିର ପରିସରକୁ ସାନିଟାଇଜ୍ କରିବା ଆବଶ୍ୟକ
- ଗୋଟିଏ ଥରରେ ୨୦ ଜଣରୁ ଅଧିକ ଭକ୍ତ ପ୍ରସାଦ ସେବନ କରିପାରିବେ ନାହିଁ
- ନିୟମ ଉଲଂଘନ କଲେ ସେବାୟତ ତଥା ଭକ୍ତଙ୍କୁ ମନ୍ଦିର କମିଟି କାର୍ଯ୍ୟାନୁଷ୍ଠାନ ନେଇପାରିବ
- ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଦ୍ୱାର ଖୋଲା ରହିବ । ଅବଶିଷ୍ଟ ଦ୍ୱାର ବନ୍ଦ ରହିବ
ଏପଟେ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଯାହାର ଜବାବ୍ ରଖିଛି ବିଜେଡି । ରାଜନୀତିର ଏହି ବୟାନବାଜି ଭିତରେ ଆଶ୍ୱସ୍ତିକର କଥା ହେଉଛି, କୋଭିଡ୍ କଟକଣା ଭିତରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଗୋଟିଏ ପରେ ଗୋଟିଏ ପାଦ ଆଗେଇଛନ୍ତି ରାଜ୍ୟ ସରକାର ।