କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ସମ୍ମୁଖ ରାସ୍ତାକୁ ବନ୍ଦ କରାଯିବା ସହ ମନ୍ଦିର ସମ୍ମୁଖ ଗାଡ଼ି ପାର୍କିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପୁରୁଣା ଭୁବନେଶ୍ବରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡ଼ି ନୂଆ ମାର୍କେଟ ନିକଟରେ ପାର୍କିଂ କରାଯିବ ବୋଲି କୁହାଯାଇଛି। ସେପଟେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାତ୍ରୀ ସୁବିଧା ସ୍ଥଳର କାମ ସରିବା ନାଁ ଧରୁନାହିଁ। ଏହାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ପାର୍କିଂ ପାଇଁ ପୁରୁଣା ଲିଙ୍ଗରାଜ ମାର୍କେଟ ଭଙ୍ଗା ଯାଇଥିଲେ ମଧ୍ୟ ସେଠାରେ ଏପର୍ଯ୍ୟନ୍ତ ପାର୍କିଂ ସୁବିଧା ହୋଇନାହିଁ। ଓଲଟା ଖାଲ ସୃଷ୍ଟି କରାଯାଇଛି ବୋଲି ସେବାୟତ ମୁକ୍ତିକାନ୍ତ ବଡ଼ୁ କହିଛନ୍ତି। ସେବାୟତ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ଗ୍ୟାରେଜ୍ ଛକଠାରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ରାସ୍ତାରେ ସ୍ବେରେଜ୍ ଖାଲ ରହିଛି। ଫଳରେ ପର୍ଯ୍ୟଟକଙ୍କ ଗାଡ଼ି ଯିବା ଆସିବାରେ ସମସ୍ୟା ହେଉଛି।