କରୋନା ଯୋଗୁଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ : ନିଲାମ ହେବନି ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି

କରୋନା ଯୋଗୁଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ : ନିଲାମ ହେବନି ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ ଭକ୍ତ । ଅର୍ଥାତ୍ ସାଧାରଣ ଦର୍ଶନକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ନୀତିକାନ୍ତି ପୂର୍ବଭଳି ଜାରି ରହିବ । କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ । କିଛି ସେବାୟତ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଏପରି ପଦକ୍ଷେପ ନେଇଛି ବିଏମସି ।

କରୋନା କଟକଣା ଯୋଗୁଁ ଚଳିତବର୍ଷ ଲିଙ୍ଗରାଜ ମହୋତ୍ସବ ହେବନାହିଁ। ଏନେଇ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରା ସମୟରେ ୬ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ମହୋତ୍ସବରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରିଥାନ୍ତି।। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତି ବିଭାଗ ସହଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦କଳାକାର ନୃତ୍ୟ ପରିବେଷଣ କରୁଥିଲେ। ତେବେ କୋଭିଡ଼୍‌ କଟକଣା ଯୋଗୁଁ କଳାକାରମାନଙ୍କୁ ଆସିବାକୁ ମନା କରାଯାଇଛି। ଏହାଛଡ଼ା କରୋନା ମହାମାରୀକୁ ଆମ ଦେଶ ତଥା ରାଜ୍ୟରୁ ଦୂରେଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

ସେପଟେ, ରଥଯାତ୍ରାର ପୂର୍ବ ରାତିରେ ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରୀଚିକୁଣ୍ଡ ପାଣି ଅଣାଯାଇ ରଥ ପ୍ରତିଷ୍ଠା ହୁଏ । ପ୍ରଥମ କଳସ ପାଣି ପ୍ରତିଷ୍ଠା ପାଇଁ ଆସିବା ପରେ ଏହି ପାଣିକୁ ନିଲାମ କରାଯାଏ । ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହା ନିଲାମ ହେବ ନାହିଁ । କୋଭିଡ୍‌ କଟକଣା ଯୋଗୁଁ ଏହି ନିଲାମକୁ ବନ୍ଦ କରାଯାଇଛି । ରଥ ପ୍ରତିଷ୍ଠା ପାଣି ଆଣିବା ଓ ରଥ ପ୍ରତିଷ୍ଠା ପାଇଁ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଥିବା ୨୦ଜଣ ସେବାୟତ ସାମିଲ ହୋଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ରାତି ୯ଟା ପରେ କର୍ଫ୍ୟୁ ହୋଇଥିବାରୁ କୌଣସି ବ୍ୟକ୍ତି ଏଠାକୁ ଆସିପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe