ଆଜି ମହାଦେବଙ୍କ ମହାଶିବରାତ୍ରି : ଭକ୍ତ ପ୍ରସ୍ତୁତ, ଭଗବାନ ବି ପ୍ରସ୍ତୁତ । ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଉଠିବ ମହାଦୀପ

Advertisment
ଆଜି ମହାଦେବଙ୍କ ମହାଶିବରାତ୍ରି : ଭକ୍ତ ପ୍ରସ୍ତୁତ, ଭଗବାନ ବି ପ୍ରସ୍ତୁତ । ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଉଠିବ ମହାଦୀପ

କନକ ବ୍ୟୁରୋ : ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ସେବାୟତମାନେ ଠିକଣା ସମୟର ପୂର୍ବରୁ ଉଠାଇବେ ବୋଲି କହିଛନ୍ତି। ତେବେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହୋଇଛି। ଗତକାଲି ସନ୍ଧ୍ୟା‌ରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ପକାଇବା ବ୍ୟବସ୍ଥା କରାଯାଇଛି।

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମନ୍ଦିର ପରିଷ୍କାର କରାଯିବା ସହ ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ କରାଯାଇଛି। ଏଥିସହ ମନ୍ଦିର ଗର୍ଭଗୃହରୁ ପାଦୁକ ମଧ୍ୟ ସଫେଇ କରାଯାଇଛି। ମହାଶିବରାତ୍ରି‌ରେ ଏଏସ୍‌ଆଇର ୪୦ଜଣ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିବେ। ମନ୍ଦିର ପରିସରରେ ଓ ବାହାରେ ସୂଚନା କେନ୍ଦ୍ର ଖୋଲାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ଦିଆଯିବ। ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଏଥିପାଇଁ ଏକ ଟିମ୍ ନିୟୋଜିତ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଢ଼େଇବାଙ୍କ ଛକ, ହାଟ, ଇଲେକ୍ଟ୍ରି ଅଫିସ୍ ଛକ ଓ ମନ୍ଦିର ଚାରିପଟେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଗାଡ଼ି ମଟର ରଖିବା ପାଇଁ ୧୪ଟି ପାର୍କିଂସ୍ଥଳ ଚିହ୍ନଟ କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଠିଆ ହେବା ବେଳେ ଟାଣ ଖରାରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପାଣି ସ୍ପ୍ରେ’ ସହ ତଳେ କାର୍ପେଟ୍‌ ବିଛା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe