କନକ ବ୍ୟୁରୋ : ପ୍ରଭାବଶାଳୀଙ୍କ ପଞ୍ଝାରେ ଲିଙ୍ଗରାଜଙ୍କ ଜମି ନେଇ ଚର୍ଚ୍ଚା । ଶ୍ରୀଲିଙ୍ଗରାଜଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତି ହଡପ ଅଭିଯୋଗ । କିରୁଥିକା ପି. ନାମକ ଜଣେ ମହିଳା ୬କୋଟି ୪୫ଲକ୍ଷ ଟଙ୍କାରେ ଲିଙ୍ଗରାଜଙ୍କ ଜମି କିଣିଥିବା ଜଣାପଡ଼ିଛି । ସେଲଡିଲରେ କିରୁଥିକା ପି. ଜମି କିଣିଥିବା ଉଲ୍ଲେଖ ଥିବା ବେଳେ ଏହି ମହିଳାଙ୍କ ସ୍ୱାମୀଙ୍କ ନାଁ ବି. ପ୍ରଭାକରନ୍ ରହିଛି । ତେବେ କିଏ ଏହି ପ୍ରଭାକରନ୍ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଘଟଣାକୁ ନେଇ ହଟଚମଟ ପରେ ପଟ୍ଟା ବାତିଲ କରିଛନ୍ତି ତହସିଲଦାର । ଏବଂ ବିବାଦୀୟ ଜମିରେ ୧୪୪ ଧାରା ସହ ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀଲିଙ୍ଗରାଜଙ୍କ ମୂଲ୍ୟବାନ ସମ୍ପତି ହଡ଼ପ ! ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ । କିରୁଥିକା ପି. ନାମକ ଜଣେ ମହିଳା ଲିଙ୍ଗରାଜଙ୍କ ଜମି କିଣିଥିବା ଜଣାପଡ଼ିଛି । ହୃଷିକେଶ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ଜମି କିଣାଯାଇଛି । ହୋଇଥିବା ସେଲଡିଲରେ କିରୁଥିକା. ପି ଜମି କିଣିଥିବା ଉଲ୍ଲେଖ ଥିବା ବେଳେ ଏହି ୪୮ ବର୍ଷୀୟ ମହିଳାଙ୍କ ସ୍ୱାମୀଙ୍କ ନାଁ ବି. ପ୍ରଭାକରନ୍ ରହିଛି । ତେବେ କିଏ ଏହି ପ୍ରଭାକରନ୍? ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ରହିଛି ଏହି ମୂଲ୍ୟବାନ ଜମି । ଶ୍ରୀଲିଙ୍ଗରାଜଙ୍କ ଜମି ସୁଦର୍ଶନ ଭାରତୀ ଗୋସ୍ୱାମୀ ମଠର ତତ୍ୱାବଧାନରେ ରହିଥିଲା । ପରେ ଏହି ଜମି ହୃଷୀକେଶ ଦାସ ଓ ସରସ୍ୱତୀ ପାତ୍ରଙ୍କ ନାଁକୁ ଚାଲିଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଦେବୋତର କମିଶନର ମାମଲା ରୁଜୁ କରିଥିଲେ । ଜମି ଫେରାଇ ଆଣିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏକ ସିଭିଲ୍ ସୁଟ୍ କରିଥିଲେ । ଜମି ମହାପ୍ରଭୁଙ୍କ ନାଁକୁ ଫେରିଯିବ ବୋଲି ଜାଣିବା ପରେ ଜମି ବିକ୍ରି କରିଦେଇଛନ୍ତି ହୃଷୀକେଶ ଦାସ । ଆଉ ଜମି ବାବଦକୁ ନେଇଛନ୍ତି ୬ କୋଟି ୪୫ ଲକ୍ଷ ଟଙ୍କା । ସବୁଠୁ ବଡ଼ କଥା ହେଉଛି, ଜମି କିଣାବିକା ସମ୍ପର୍କିତ ଫାଇଲ ରକେଟ୍ ବେଗରେ କାମ କରିଥିଲା । ମାତ୍ର ୮ ଦିନ ମଧ୍ୟରେ କିରୁଥିକାଙ୍କ ନାଁରେ ଜମି ପଟ୍ଟା କରି ଦିଆଯାଇଥିଲା ।
ଜମି ଜାଲିଆତିକୁ ନେଇ ପ୍ରବଳ ବିରୋଧ ପରେ ଏବେ ପଟ୍ଟାକୁ ବାତିଲ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ରେକର୍ଡ ସଂଶୋଧନ କରାଯାଇନାହିଁ । ଅର୍ଥାତ୍ କିରୁଥିକାଙ୍କ ନାଁରୁ ମହାପ୍ରଭୁଙ୍କ ନାଁକୁ ଜମି ଆସିନାହିଁ । ଜମିଟି ମାମଲା ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ବେଳେ ଚାପରେ ପଡ଼ି ତହସିଲଦାର ପଟ୍ଟା କରିଦେଇଥିବା କୁହାଯାଉଛି । କାରଣ ଥରେ ଜମିରେ ନିର୍ମାଣ ହୋଇଗଲେ ଆଉ ଭାଙ୍ଗିବା ସହଜ ହେବ ନାହିଁ, ମାମଲା କୋର୍ଟରେ ଗଢିବ । ଏଭଳି ଚିନ୍ତା କରି ରାତି ଅଧିଆ କାମ ଚାଲିଥିବା ଜଣାପଡ଼ିଛି । ଆଉ ଏବେ ତ୍ରୁଟି ସଂଶୋଧନ କରିବାକୁ ଯାଇ ବିବାଦୀୟ ଜମିରେ ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତହସିଲଦାର । ଏପରିକି ଏହି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।
ବଡ କଥା ହେଉଛି, ବିବାଦୀୟ ଜମି ଉପରେ ଏକ ବଡ ପୋଷ୍ଟର ଲଗାଯାଇଛି । ଏଥିରେ ଦର୍ଶାଯାଇଛି କିରୁଥିକା.ପି ଆଇନ ସମ୍ମତ ଭାବରେ ଉକ୍ତ ଜମିକୁ କିଣିଛନ୍ତି ଓ ଏହା ଉପରେ ତାଙ୍କର ହିଁ ଅଧିକାର ରହିଛି । ଏପରିକି ଉକ୍ତ ଜମି ଉପରକୁ ଅନୁପ୍ରବେଶ ନକରିବାକୁ ଏଥିରେ ଚେତାବନୀ ଦିଆଯାଇଛି । ପ୍ରଶ୍ନ ଉଠୁଛି, ଲିଙ୍ଗରାଜଙ୍କ ଜମି କିଭଳି ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଉଛି? ଏ ନେଇ କିପରି ଜାଣି ପାରୁନାହିଁ ପ୍ରଶାସନ ? ରହିଛି କି ସରକାରୀ ଅଧିକାରୀଙ୍କ ହାତ ?
Follow Us