କମିବ ବସ୍ତାନୀ ବୋଝ: ସ୍କୁଲ ବ୍ୟାଗ୍ ନୀତି ଜାରି କଲା କେନ୍ଦ୍ର, ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦%ରୁ କମ୍; ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା

୩ ମାସରେ ଥରେ ଯାଞ୍ଚ ହେବ

273

କନକ ବ୍ୟୁରୋ: ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍ ପକାଇ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ୍ ନୀତି-୨୦୨୦ରେ ଉଲ୍ଲେଖ କରାଯାଇଛି। ଏହି ନୀତିକୁ ୨୦୨୧-୨୨ ଶିକ୍ଷାବର୍ଷରୁ ରାଜ୍ୟରେ ପାଳନ କରିବା ଲାଗି ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

ନୀତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଏକ ଟେବୁଲ୍ ପ୍ରସ୍ତୁତ କରିବେ। ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଅଭିଭାବକ, ନିକଟ ଅଞ୍ଚଳର ଫିଜିସିଆନ୍, କାଉନ୍ସେଲ୍ରଙ୍କୁ ଅବଗତ କରାଇବେ। ସ୍କୁଲ ବ୍ୟାଗ୍ ଓଜନ ସମ୍ପର୍କରେ ବିଦ୍ୟାଳୟର ନୋଟିସ୍ ବୋର୍ଡ, କ୍ୟାମ୍ପସର ପ୍ରମୁଖ ସ୍ଥାନ ଓ ପ୍ରତି କ୍ଲାସ ରୁମରେ ଲଗାଇବେ। ନିୟମିତ ବ୍ୟବଧାନରେ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ କରାଯିବ। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତି ୩ ମାସରେ ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ମାପିବେ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣୁଥିବେ ତେବେ ଏସମ୍ପର୍କରେ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଅବଗତ କରାଇବେ ଏବଂ ହାଲୁକା ବ୍ୟାଗ୍ ଆଣିବାକୁ ପରାମର୍ଶ ଦେବେ। ୬ଷ୍ଠରୁ ଅଧିକ ଶ୍ରେଣୀ ଛାତ୍ରଛାତ୍ରୀ ବିଷୟ ବିଷୟ ମଧ୍ୟରେ ସାମଞ୍ଜସ୍ୟ ରହୁଥିବା ବହି ଆଣି ଆସିବାକୁ ଶିକ୍ଷକମାନେ ପରାମର୍ଶ ଦେବେ। କେଉଁ ଦିନ କେଉଁ ବହି ପଢ଼ାଯିବ ସେନେଇ ଟାଇମ୍ ଟେବୁଲ୍ରେ ଉଲ୍ଲେଖ ରହିବ। ଟାଇମ୍ ଟେବୁଲ୍ ସହଜ ହେବା ଦରକାର। ଶିକ୍ଷାବର୍ଷ ଆରମ୍ଭ ହେବା ପରେ ସ୍କୁଲର ମୁଖ୍ୟମାନେ ପାଠ୍ୟପୁସ୍ତକ ଓଜନ ଅନୁଯାୟୀ ପ୍ରତିଦିନର ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ।

ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସୱାର୍କ ଲାଗି କେବଳ ଗୋଟିଏ ନୋଟବୁକ୍ ବ୍ୟବହାର କରିବେ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ନୋଟ୍ବୁକ୍ ଦରକାର। ସେଥିମଧ୍ୟରୁ ଗୋଟିଏ ବ୍ୟାଗରେ ଆଣିବେ ଓ ଅନ୍ୟଟି ସ୍କୁଲରେ ରହିବ। ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ଖୋଲା କାଗଜର ଗୋଟିଏ ଫାଇଲ୍କୁ କ୍ଲାସୱାର୍କ ଓ ହୋମୱାର୍କ ଲାଗି ବ୍ୟବହାର କରିବେ। ଟେକ୍ସଟ୍ ବୁକ୍ ସେୟାରିଂ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଫଳରେ ପାଖରେ ପାଖରେ ବସୁଥିବା ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ପାଠ୍ୟପୁସ୍ତକ ଅଦଳବଦଳ କରିପାରିବେ।

ପ୍ୟାରେଣ୍ଟ-ଟିଚର ବୈଠକରେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ସଚେତନ କରାଇବେ। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ ଦିଆଯିବ ନାହିଁ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଘଣ୍ଟାର ହୋମୱାର୍କ ଦିଆଯିବ। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହକୁ ୫ରୁ ୬ ଘଣ୍ଟା ଲେଖାଏ ହୋମୱାର୍କ ଦିଆଯିବ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଦିନ ଦୁଇ ଘଣ୍ଟାର ହୋମୱାର୍କ ରହିବ। ଛାତ୍ରଛାତ୍ରୀ କିଭଳି ହୋମୱାର୍କ କରିବେ ସେଦିଗରେ ସ୍କୁଲ କର୍ତୃପକ୍ଷ ଗୁରୁତ୍ବ ଦେବା ଆବଶ୍ୟକ।

ଛାତ୍ରଛାତ୍ରୀ ସ୍କୁଲକୁ ଟ୍ରଲି ବ୍ୟାଗ ଆଣି ଆସିବା ଉପରେ ରୋକ ଲଗାଯାଇଛି। କାରଣ ଚକ ଲାଗିଥିବା ବ୍ୟାଗ ନେଇ ଶିଡ଼ିରେ ଉଠିବା ବେଳେ ପିଲା ଆହତ ହେବାର ଭୟ ରହିଛି। କୌଣସି ପ୍ରକାର ବହି ଆଣିବାକୁ କହିଲା ବେଳେ ଶିକ୍ଷକମାନେ ଏହାର ଓଜନ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରତ୍ୟେକ ବହିର ଓଜନ ପ୍ରତିବର୍ଗ ମିଟର ପ୍ରତି କେତେ ସେନେଇ ପ୍ରକାଶକ ସଂସ୍ଥା ବହି ଉପରେ ଛାପିବେ। ସ୍କୁଲ ବ୍ୟାଗ୍ ଓଜନ ଧାର୍ଯ୍ୟ ଲାଗି ଏନ୍ସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍ଇର ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। ଜାତୀୟ ଶିକ୍ଷା ନୀତି-୨୦୨୦ରେ ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଥିବାରୁ ତାହାକୁ ଆଧାର କରି କମିଟି ଉପରୋକ୍ତ ପ୍ରସ୍ତାବ ଦେଇଛି।