ଭାରତରେ ସୋନୁ, ଓଡ଼ିଶାରେ ସବ୍ୟ । ସୋନୁ ସୁଦଙ୍କ ପରି ସମସ୍ତଙ୍କ ହୃଦୟ ଜିଣୁଛନ୍ତି ଓଡ଼ିଶାର ସୁନା ପୁଅ ଅଭିନେତା ସବ୍ୟସାଚୀ । ଯିଏ ବି ଯେଉଁଠୁ ସାହାଯ୍ୟ ପାଇଁ ଗୁହାରୀ କରୁଛି, ଦେବଦୂତ ସାଜି ସାହାଯ୍ୟ କରୁଛନ୍ତି ସବ୍ୟ ।

661

କନକ ବ୍ୟୁରୋ : ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କ ପରି ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ଓଡ଼ିଶାର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସବ୍ୟଙ୍କୁ ସାହାଯ୍ୟର ଗୁହାରି କରୁଛି, ଦୁଃଖ ଦୂରେଇବାକୁ ଦେବଦୂତ ସାଜି ପହଞ୍ଚୁଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । କୋଟି କୋଟି ଓଡ଼ିଶାବାସୀଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସବ୍ୟ ।

କରୋନା ମୁକାବିଲା ପାଇଁ ଯେତେବେଳେ ସରକାର ସାରା ଦେଶରେ ଲକଡାଉନ୍ ଘୋଷଣା କଲେ, ସେତେବେଳେ ମାସ ମାସ ଧରି ବାହାର ରାଜ୍ୟରେ ଫସିରହିଥିଲେ ଲକ୍ଷ ଲକ୍ଷ ଓଡ଼ିଆ । ପାଖରେ ସଂଚିତ ଥିବା ଟଙ୍କା ସରିଯିବା ପରେ ଯେତେବେଳେ ଭୋକ ଓପାସରେ ଦିନ କଟୁଥିଲା, ଠିକ୍ ସେତିକି ବେଳେ ବିପଦ ବେଳର ବନ୍ଧୁ ସାଜି ଆଗେଇ ଆସିଥିଲେ ଅଭିନେତା ସବ୍ୟସାଚୀ । ମହାମାରୀ ମୁକାବିଲା ମଧ୍ୟରେ ବାହାରେ ଫଶିରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିଥିଲେ ।

କେବଳ ଏତିକିରେ ସରିଯାଇନି ସବ୍ୟଙ୍କ ସାହାଯ୍ୟର କାହାଣୀ । ଭୋକ ଓପାସରେ ଦିନ କାଟୁଥିବା ଦୁଃଖି ଦରିଦ୍ରଙ୍କ ପାଖରେ ଦେବଦୂତ ସାଜି ପହଂଚୁଛନ୍ତି ସବ୍ୟ । ଅଭାବ ଅନଟନର ଅନ୍ଧାର ଭିତରେ ଦିନ କାଟୁଥିବା କେନ୍ଦ୍ରାପଡାର ଜଣେ ଭଉଣୀଙ୍କୁ ସିଲେଇ ମେସିନଟିଏ ଦେଇ ରୋଜଗାର କରିବାର ବାଟ ଫିଟାଇଛନ୍ତି । ସେହିପରି ଟଙ୍କାର ଅଭାବ ପାଇଁ ଗୁଜୁରାଟରେ ରହି ମାନସିକ ଭାରସ୍ୟମ ହରାଇଥିବା ବଲାଙ୍ଗୀରର ଅସହାୟ ହାଡୁଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସବ୍ୟସାଚୀ । ତାଙ୍କୁ ଗୁଜୁରାଟରୁ ଓଡିଶା ଆଣିଛନ୍ତି ଆଉ ରାଂଚି ନେଇ ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ବାହାରକୁ ପାଠ ପଢିବାକୁ ଯାଇଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଂଚାଇ ପାରିଛନ୍ତି ସବ୍ୟ । କରୋନା ସହ ଲଢେଇ ଭିତରେ ଜୀବନ ବଂଚାଉ ବଂଚାଉ ଅନେକଙ୍କ ଜୀବିକା ହାତରୁ ଖସିଯାଇଛି । ଆଉ ଏତିକି ବେଳେ କିଛି ଅସାଧୁ ବ୍ୟକ୍ତି କିଡନୀ ଦାନର ମିଛ ବିଜ୍ଞାପନ ଦେଇ ଜଣେ ବ୍ୟକ୍ତିଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସବ୍ୟଙ୍କ ପାଇଁ ଅଳ୍ପକେ ବର୍ତିଯାଇଛି ଏହି ବ୍ୟକ୍ତିଙ୍କ ଜୀବନ । ସୋନୁ କେବଳ ତାଙ୍କୁ ବିପଦ ମୁହଁରୁ ଉଦ୍ଧାର କରାନାହାନ୍ତି ବରଂ ତାଙ୍କ ଅସହାୟ ସମୟରେ ତାଙ୍କ ସାହାଯ୍ୟ ମଧ୍ୟ କରିଛନ୍ତି ।

ଅସହାୟଙ୍କ ଅନ୍ନଦାତା, ଦୁଖି ଦରିଦ୍ରଙ୍କ ଦେବଦୂତ ଆଉ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ ଯେମିତି କୋଟି କୋଟି ଭାରତୀୟଙ୍କ ହୃଦୟ ଜିଣିପାରିଛନ୍ତି, ଠିକ୍ ସେମିତି ସୋନୁଙ୍କ ପରି ସବ୍ୟ ମଧ୍ୟ ଓଡ଼ିଶାବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟିଯାଇଛନ୍ତି ରିଅଲ ଲାଇଫର ହିରୋ । ଯିଏବି ସବ୍ୟଙ୍କ ସାହାଯ୍ୟର କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସବ୍ୟ ।