କୋଭିଡ୍ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବ୍ୟାଙ୍କ କର୍ମଚାରୀ ବି କୋଭିଡ୍ ଯୋଦ୍ଧା; କହିଲେ, ଅର୍ଥନୀତି ଓ ଜୀବିକା ପୁନଃରୁଦ୍ଧାରରେ ନେଇଛନ୍ତି ପ୍ରମୁଖ ଭୂମିକା: ବିନା ସୁଧରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ

129

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି ।  କହିଛନ୍ତି, ଡାକ୍ତରଙ୍କ ପରି ବ୍ୟାଙ୍କ କର୍ମଚାରୀ ବି କୋଭିଡ୍ ଯୋଦ୍ଧା  । ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ମହାମାରୀ କରୋନା ସମୟରେ ଅର୍ଥନୀତି ଓ ଜୀବିକାର ପୁନରୁଦ୍ଧାରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ବ୍ୟାଙ୍କ କର୍ମଚାରୀ । କରୋନା ସମୟରେ ଲୋକଙ୍କୁ ସେବା ଯୋଗାଇ ପ୍ରାଣ ହରାଇଥିବା ବ୍ୟାଙ୍କ କର୍ମଚାରୀ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନା ସୁଧରେ କୃଷକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୁଣ ଦିଆଯାଉଛି ।

ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ମାତ୍ର ଦୁଇ ପ୍ରତିଶତ ସୁଧରେ ଦିଆଯାଉଛି । ଭାଗ ଚାଷୀମାନଙ୍କ ପାଇଁ ବଳରାମ ଯୋଜନା କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ବ୍ୟବସ୍ଥା କରାଯାଇଛି । କରୋନା ସମୟରେ ଆର୍ଥିକ ବିକାଶ ପାଇଁ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏଗୁଡିକୁ ରୁଣ ପ୍ରଦାନ କରିବା ପାଇଁ ଜିଲ୍ଲାସ୍ତରରେ ସମୀକ୍ଷା କରାଯିବ । ବ୍ୟାଙ୍କର ଓ ଜିଲ୍ଲାପାଳ ମିଳିତ ଭାବେ ଏ ନେଇ କାର୍ଯ୍ୟ କରିବେ । ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କକୁ ଚିଫ୍ ମିନିଷ୍ଟର ପୁରସ୍କାର ଦିଆଯିବ ।