ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ମାଡ ହେଲା ବାତ୍ୟା ନିଭାର : ଆସନ୍ତା ୩ ଘଂଟାରେ ଦୁର୍ବଳ ହେବ ବାତ୍ୟା 

ପ୍ରଭାବରେ ଚେନ୍ନାଇ, ନାଗାପଟନମ କୁଡୁଲୁରରେ ଭୀଷଣ ବର୍ଷା ସାଙ୍ଗକୁ ପ୍ରବଳ ବେଗରୁ ବହୁଛି ପବନ 

248

କନକ ବ୍ୟୁରୋ : ଚେନ୍ନାଇ ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କଲା ବାତ୍ୟା ‘ନିଭାର’ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ରାତି ସାଢେ ୨ଟାରେ ସ୍ଥଳଭାଗକୁ ପ୍ରବେଶ କରିଛି ନିଭାର । ତେବେ ସ୍ଥଳଭାଗ ଛୁଇଁବା ପରେ ନିଭାର ଧିରେ ଧିରେ ଦୁର୍ବଳ ହେଉଛି । ପାଣିପାଗ ବିଭାଗ ଅନୁସାରେ ନିଭାର ଏବେ ଅତି ଭୟଙ୍କର ବାତ୍ୟା ଶ୍ରେଣୀରୁ ଭୟଙ୍କର ବାତ୍ୟାକୁ ପରିବର୍ତିତ ହୋଇଛି । ନିଭାର ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୧୨୦ ରୁ ୧୩୦ କିଲୋମିଟର ରହିଥିଲା ।

ନିଭାର ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ବିପଦ ଟଳିନାହିଁ । କାରଣ ବାତ୍ୟାର କିଛି ଅଂଶ ଏବେ ବି ସମୁଦ୍ର ଭିତରେ ରହିଥିବା ବେଳେ ବାତ୍ୟାର ଆଖି ବା କେନ୍ଦ୍ରସ୍ଥଳ ଏବେ ସ୍ଥଳଭାଗରେ ରହିଛି । ଆସନ୍ତା ୩ ଘଂଟା ଭିତରେ ବାତ୍ୟାର ଆଖି ପଡୁଚେରୀ ଅତିକ୍ରମ । ଏବେ ପୁଡୁଚେରୀରେ ଘଂଟାପ୍ରତି ଶହେରୁ ୧୧୦ କିଲୋମିଟର ବେଗର ପବନ ବହିବା ସହ ଭୀଷଣ ବର୍ଷା ହେଉଛି । ନାଗାପଟନମ. କରାଇକଲ, ଚେନ୍ନାଇ, କୁଡୁଲୁର, ମହାବଳୀପୁରମ ସମେତ ବହୁ ସହରରେ ପ୍ରବଳ ବେଗର ପବନ ବହିବା ସହ ଭୀଷଣ ବର୍ଷା ହେଉଛି ।

ସ୍ଥଳଭାଗରେ ବାତ୍ୟା ନିଭାର ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ଗତି କରି ଆସନ୍ତା ୩ ଘଂଟା ଭିତରେ ଦୁର୍ବଳ ହୋଇଯିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାକୁ ଆଖି ଆଗରେ ରଖି ତାମିଲନାଡୁ ଓ ପଡୁଚେରୀରୁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।  ଚେନ୍ନାଇ ବିମାନବନ୍ଦରରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଅପରେସନ ବନ୍ଦ ରଖାଯାଇଛି । ସେହିପରି ଚେନ୍ନାଇରେ ମେଟ୍ରୋ ସେବାକୁ ମଧ୍ୟ ବାତିଲ କରାଯାଇଛି ।