ଖରା ଆରମ୍ଭରୁ ବିଜୁଳି ଯନ୍ତ୍ରଣା: ଅଘୋଷିତ ପାୱାର କଟ୍ ବଢ଼ାଉଛି ସମସ୍ୟା

163

କନକ ବ୍ୟୁରୋ: ବିଜୁଳି ଖେଳୁଛି ଲୁଚକାଳି । କେଉଁଠି ପାୱାର କଟ୍ ତ ଆଉ କେଉଁଠି ଲୋ ଭୋଲଟେଜ୍ ସମସ୍ୟାରେ ଘାଂଟି ହେଉଛନ୍ତି ଲୋକେ । ଫ୍ୟାନ, ଫ୍ରିଜ୍, ପାଣି ମଟର କିଛି କାମ କରୁାନାହିଁ । ଫଳରେ ଗରମରେ ଆଉଟୁ ପାଉଟୁ ହେବାକୁ ପଡୁଛି । କଟକ ସଦର ବ୍ଲକ ବେଂଟକାର ଗାଁରୁ ଆସିଛି ଏଭଳି ଅଭିଯୋଗ । ଏଠାରେ ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲଟେଜ ସମସ୍ୟା ବଢ଼ାଇଛି ଚିନ୍ତା । ତା ସାଙ୍ଗକୁ ନୂଆ ସ୍ମାର୍ଟ ମିଟର ଯୋଗୁଁ ବିଜୁଳି ବିଲ୍ ଅଧିକ ଆସୁଥିବା କହିଛନ୍ତି ଗ୍ରାମବାସୀ । ଯାହା ବୋଝ ଉପରେ ନଳିତ ବିଡ଼ା ସଦୃଶ ହୋଇଛି ।

ଖାଲି କଟକ ନୁହେଁ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ଏଠାରେ ଉଠା ଜଳସେଚନ ଭରସାରେ ଚାଷ କାର୍ଯ୍ୟ ହେଉଥିବା ବେଳେ ଚାଷୀଙ୍କୁ ଲାଗିଛି ୪୪୦ ଭୋଲ୍ଟର ଝଟକା । ଲୋ ଭୋଟଟେଜ୍ ସମସ୍ୟା ପାଇଁ ହୋଇପାରୁନି ଜଳ ସେଚନ । ଫଳରେ ପାଣି ଅଭାବରୁ ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଚାଷ ଜମି ଶୁଖିଲା ପଡ଼ିଥିବା ଅଭିଯୋଗ ହୋଇଛି । ବରଗଡ଼ ବ୍ଲକ ଏସ. ଡୁମେରପାଲି ଗାଁରେ ପ୍ରାୟ ୩୦୦ ଚାଷୀଙ୍କ ଗଭୀର ନଳକୂପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଏନେଇ ଆନ୍ଦୋଳନ କରାଯାଇଥିଲେ ବି ଚାଷୀଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନି ବିଜୁଳି ବିଭାଗ । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ।

ବିଜୁଳି ବିଭ୍ରାଟ ପାଇଁ ସାଧାରଣ ଲୋକଙ୍କ ଠାରୁ ନେଇ ଚାଷୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଥିବା ବେଳେ ଏହା ପୂର୍ବରୁ ବିଜୁଳି ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।