କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ପ୍ରାୟ ୪.୩୦ ମିନଟ ସମୟରେ ବଜ୍ରାଘାତରେ ଦୁଇ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟେମରା ଗାଁର ହୀରାଦେଇ ଭତ୍ରା (୧୨), ଉର୍ମିଳା ଭତ୍ରା(୧୩), ଲତା କେଉଟ(୧୩) ଓ ମେନକା ଭତ୍ରା(୧୩) ଟେମରା ନଦୀ ନିକଟ ସୁନୁସୁନିଆ ଶାଗ ତୋଳିବା ପାଇଁ ଯାଇଥିଲେ । ହଠାତ ସେହି ସମୟରେ ବର୍ଷା ହେବାରୁ ପାଖରେ ଥିବା ଆଖୁପେଡା ଛପର ଘରେ ଆଶ୍ରୟ ନେଇଥିବା ସମୟରେ ଘଡଘଡି ମାରିବା ସହ ବିଜୁଳି ପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ହୀରାଦେଇ, ଉର୍ମିଳା ଓ ଲତା ଗୁରୁତର ଭାବେ ଆହତ ହୋଇପଡିଥିଲେ ।
ସେହି ସମୟରେ କେବଳ ମେନକା ହିଁ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲା । ମେନକା ନିକଟରେ ରହୁଥିବା ସଦନ ଭତ୍ରାକୁ ଦୌଡି ଯାଇ ଖବର ଦେଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ନାବାଳିକାକୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଇଥିଲେ । କୋଷାଗୁମୁଡା ଡାକ୍ତରଖାନାର ଡାକ୍ତର ଜ୍ଞାନ ରଂଜନ ପାଢ଼ୀ ହୀରାଦେଇ ଓ ଉର୍ମିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏବେ ଲତା କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଏବଂ ସୁସ୍ଥ ଥିବା ଜଣାପଡିଛି । ଦୁଇ ନାବାଳିକାଙ୍କ ପିତା କୋଷାଗୁମୁଡ଼ା ଥାନାରେ ଆଜି ରାତିରେ ଏତଲା ଦେଇଛନ୍ତି । ଆସନ୍ତାକାଲି ସକାଳେ ଦୁଇ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ପାଢ଼ୀ କହିଛନ୍ତି ।