ସନ୍ଧ୍ୟା ସୁଦ୍ଧା ସତର୍କ ରୁହ ୯ ଜିଲ୍ଲା ! ବର୍ଷା ଓ ବଜ୍ରପାତ ବିପଦ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

2,333
କନକ ବ୍ୟୁରୋ: ସନ୍ଧ୍ୟା ସୁଦ୍ଧା ୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ସନ୍ଧ୍ୟା ୬ଟା ମଧ୍ୟରେ  ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର ଏବଂ ବୌଦ୍ଧ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ସାଧାରଣ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିଯିବାର ୪୫ ଦିନ ପରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଥାଏ । ଏଣୁ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଅର୍ଥାତ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେଲେ ବି ତ୍ୱରିତ ବେଗରେ ଏହି ପ୍ରକ୍ରିୟା ଶେଷ ହୋଇପାରେ ଏବଂ ଆଉ ୪୫ ଦିନ ସମୟ ନ ନେଇ ୧୫ ଦିନ ଭିତରେ ବି ମୌସୁମୀ ଓଡ଼ିଶା ଛାଡ଼ିପାରେ ବୋଲି ଉମାଶଙ୍କର ଦାସ କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ବି‌ଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ଓ ୪ ଅକ୍ଟୋବର ଆଡ଼କୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୫ ଅକ୍ଟୋବର ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ କମିବ।