କନକ ବ୍ୟୁରୋ:  ଲଗାତାର ତିନି ତିନି ଥର ଯକ୍ଷ୍ମା ରୋଗରେ ପୀଡ଼ିତା ହେବା ପରେ ଏବେ ଟିବି ଚାମ୍ପିୟନ ଭାବେ କାର୍ଯ୍ୟ କରୁଛନ୍ତି ଲକ୍ଷ୍ମୀ ମହାରଣା । ଏବେ ଲୋକଙ୍କୁ ବୁଲି ବୁଲି ସଚେତନ କରୁଛନ୍ତି । କେମିତି ସଚେତନତା ଅଭାବରୁ ବାରମ୍ବାର ଯକ୍ଷ୍ମା ରୋଗ ହୋଇପାରେ ତାହା ବୁଝାଉଛନ୍ତି ।  

ନିଜେ ସ୍ୱାବଲମ୍ବୀ ଥିବା ଲକ୍ଷ୍ମୀ ରୋଗରେ ପଡ଼ିବା ପରେ ନିଜ ଚାକିରି ହରାଇଥିଲେ । ପ୍ରଥମେ ୨୦୧୭ ମସିହାରେ ଯକ୍ଷ୍ମାରେ ପଡ଼ିଥିଲେ । ରୋଗ ହେବା ପରେ ନିୟମ ଅନୁସାରେ ଲଗାତାର ୬ ମାସ ଔଷଧ ଖାଇବା ଦରକାର । କିନ୍ତୁ ଲକ୍ଷ୍ମୀ ଔଷଧ ଖାଇବାରେ ଅବହେଳା କରିଥିଲେ । ଯେଉଁ କାରଣରୁ ପୁଣି ଥରେ ୨୦୧୮ ମସିହାରେ ରୋଗରେ ପଡ଼ିଥିଲେ ଲକ୍ଷ୍ମୀ ।

ଯକ୍ଷ୍ମା ରୋଗରେ ରୋଗୀର ଓଜନ ୧୦ରୁ ୧୫ କେଜି ପର୍ୟ୍ୟନ୍ତ କମିଥାଏ । ଯେଉଁ କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମି ଯାଇଥାଏ । ଏହାପରେ ଲକ୍ଷ୍ମୀଙ୍କ ବାପା ଯକ୍ଷ୍ମା ରୋଗରେ ପଡ଼ିଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା କାରଣରୁ ପୁଣି ଥରେ ଲକ୍ଷ୍ମୀ ୨୦୨୧ରେ ଯକ୍ଷ୍ମାରେ ପୀଡ଼ିତ ହୋଇଥିଲେ ।

tb

ବିଶେଷଜ୍ଞଙ୍କ କହିବା ଅନୁସାରେ ଯକ୍ଷ୍ମା ରୋଗୀଙ୍କର ଓଜନ ପ୍ରାୟତଃ ୧୦ରୁ ୧୫ କେଜି ପର୍ୟ୍ୟନ୍ତ କମିଯାଏ । ତେଣୁ ଏହି ସମୟରେ ସଚେତନ ରହିବା ସହ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ, ଅଣ୍ଡା, ମାଛ, ମାଂସ, ସବୁଜ ପନିପରିବା ଆଦି ଖାଇବା ଜରୁରୀ । ସାଧାରଣ ଭାବରେ ଦେଖାଯାଇଥାଏ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ଯକ୍ଷ୍ମା ଅଧିକ ମାତ୍ରାରେ ହୋଇଥାଏ । ଏହି ସମୟରେ ନିୟମିତ ଔଷଧ ସେବନ ଏହି ରୋଗକୁ ରୋକିବାରେ ମୁଖ୍ୟ ଭୂମିକା ନିଭାଇ ଥାଏ । ଏହାସହ ସନ୍ତୁଳିତ ଖାଦ୍ୟ, ରୋଗ ପ୍ରତିଷେଧକ ବଢ଼ାଇବା ଭଳି ଖାଦ୍ୟ ରୋଗୀଙ୍କ ଖାଦ୍ୟ ଥାଳିରେ ରହିବା ନିହାତି ଦରକାର । ଲୋକଙ୍କ ଭିତରେ ରୋଗକୁ ନେଇ ସଚେତନତା ସୃଷ୍ଟି ରୋଗକୁ କାମାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

(ରିପୋର୍ଟ - ମନୀଷା ଦାସ)