କନକ ବ୍ୟୁରୋ : ଆଜିର ସମୟରେ ମୁହଁରେ ବ୍ରଣ ସମସ୍ୟା ହେବା ସାଧାରଣ କଥା । ବ୍ରଣ ହେଉଛି ତ୍ୱଚା ସମ୍ବନ୍ଧୀୟ ଏକ ସାଧାରଣ ସମସ୍ୟା । ଛୋଟ ଲାଲ୍ ଦାଗ କିମ୍ବା ପୂଜ ଭର୍ତ୍ତି ଦାନା ଭଳି ଏହା ତ୍ୱଚାରେ ଦେଖା ଯାଇଥାଏ । ବ୍ରଣ ମୁଖ୍ୟତଃ ମୁହଁ, କପାଳ, ପିଠି ଏବଂ ଛାତିରେ ଦେଖାଯାଏ । ଯେତେବେଳେ ତ୍ୱଚାର ସେବାସିଅସ୍ ଗ୍ଲାଣ୍ଡ ଅଧିକ ପରିମାଣରେ ସିବମ୍ ଅର୍ଥାତ୍ ତେଲ ଉତ୍ପାଦନ କରେ ସେତେବେଳେ ଏହି ତେଲ ମୃତ କୋଷ ସହିତ ମିଶି ଚର୍ମର ଛିଦ୍ରଗୁଡ଼ିକୁ ବନ୍ଦ କରିଦିଏ ଫଳରେ ବ୍ରଣ ହୋଇଥାଏ । ଏହାର ଅନେକ କାରଣ ଥାଇପାରେ । ମୁହଁରେ ବାରମ୍ବାର ବ୍ରଣ ହେଲେ ଏହାର ପ୍ରଭାବ କେବଳ ତ୍ବଚା ଉପରେ ନୁହେଁ ଆତ୍ମବିଶ୍ବାସ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ବ୍ରଣ ବାରମ୍ବାର କାହିଁକି ହୁଏ ଏବଂ ଏଥିରୁ ମୁକ୍ତି ପାଇବାର ଉପାୟ କ'ଣ ।
/kanak/media/media_files/2025/06/15/NJATj2JA5NgqhsrspfdD.jpg)
ବ୍ରଣ ବାରମ୍ବାର ହେବାର ଅନେକ କାରଣ ଥାଇପାରେ । ହର୍ମୋନାଲରେ ପରିବର୍ତ୍ତନ ଦେଖା ଦେଲେ କିଶୋରାବସ୍ଥା, ମାସିକ ଋତୁସ୍ରାବ, ଗର୍ଭଧାରଣ କିମ୍ବା ପିସିଓଡି ଭଳି ସ୍ଥିତିରେ ବ୍ରଣ ହୋଇଥାଏ । ଏହାଛଡ଼ା ତ୍ବଚାକୁ ସଫା ନ ରଖିବା , ବାରମ୍ବାର ମୁହଁକୁ ଛୁଇଁବା , ଅପରିଷ୍କାର ତକିଆ କିମ୍ବା ମୋବାଇଲ୍ ଫୋନ୍ ବ୍ୟବହାର କରିବା,ଅଧିକ ତୈଳାକ୍ତ ତ୍ୱଚା କିମ୍ବା ଭୁଲ ସ୍କିନକେୟାର୍ ପ୍ରଡକ୍ଟ ବ୍ୟବହାର କଲେ ମଧ୍ୟ ବ୍ରଣ ବଢ଼ିଥାଏ । ଚାପ, ନିଦ୍ରାହୀନତା ଏବଂ ଖାଦ୍ୟପେୟରେ ଅନିୟମିତତା ମଧ୍ୟ ବ୍ରଣର ଏକ ବଡ଼ କାରଣ । ଅଧିକ ତେଲ ଭଜା, ମିଠା ଏବଂ ଦୁଗ୍ଧଜାତ ଦ୍ରବ୍ୟ ସେବନ କଲେ ମଧ୍ୟ ଚର୍ମରେ ବ୍ରଣ ହୋଇଥାଏ । ବେଳେବେଳେ ଜେନେଟିକ୍ କାରଣରୁ ମଧ୍ୟ ଏହା ହୋଇଥାଏ ।
/kanak/media/media_files/2025/06/15/lppARDaOwJNBsHOI1APc.jpg)
ମ୍ୟାକ୍ସ ହସ୍ପିଟାଲର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟା ସଚଦେବା କୁହନ୍ତି ବ୍ରଣର ଚିକିତ୍ସା ଏହାର ଗମ୍ଭୀରତା ଏବଂ ପ୍ରକାର ଉପରେ ନିର୍ଭର କରେ । ସାମାନ୍ୟ ବ୍ରଣ ପାଇଁ ନିୟମିତ ସଫେଇ, ତେଲମୁକ୍ତ ମଏଶ୍ଚରାଇଜର୍ ଏବଂ ମେଡିକେଟେଡ୍ ଫେସୱାଶ୍ ବ୍ୟବହାର ଲାଭଦାୟକ ହୋଇଥାଏ । ଏପରି ପ୍ରଡ଼କ୍ଟ ବାଛନ୍ତୁ ଯେଉଁଥିରେ ସାଲିସିଲିକ୍ ଏସିଡ୍, ବେଞ୍ଜୋଏଲ୍ ପେରକ୍ସାଇଡ୍ କିମ୍ବା ନିମ୍ବ-ଟି ଟ୍ରି ଅଏଲ୍ ଭଳି ଉପାଦାନ ଥାଏ, ଯାହା ବ୍ରଣକୁ କମ୍ କରିବାରେ ସାହାଯ୍ୟ କରେ । ଯଦି ବ୍ରଣ ବାରମ୍ବାର ହୁଏ ଏବଂ ଯନ୍ତ୍ରଣାଦାୟକ କିମ୍ବା ପୂଜ ଭର୍ତ୍ତି ହୋଇଥାଏ, ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ଡାକ୍ତର ଆଣ୍ଟିବାୟୋଟିକ୍ କ୍ରିମ୍, ରେଟିନଏଡ୍ସ କିମ୍ବା ଆବଶ୍ୟକ ପଡ଼ିଲେ ଓରାଲ୍ ମେଡିସିନ୍ସ ମଧ୍ୟ ଦେଇପାରନ୍ତି । ପିସିଓଡି କିମ୍ବା ହର୍ମୋନାଲ୍ ଇନବାଲାନ୍ସ କାରଣରୁ ହେଉଥିବା ବ୍ରଣରେ ହରମୋନାଲ୍ ଚିକିତ୍ସାର ଆବଶ୍ୟକତା ପଡ଼ିପାରେ । ଘରୋଇ ଉପଚାରରେ ହଳଦୀ, ଆଲୋଭେରା, ମୁଲତାନୀ ମାଟି ଏବଂ ନିମ୍ବର ବ୍ୟବହାର ମଧ୍ୟ କରିପାରିବେ କିନ୍ତୁ ଏହାର ବ୍ୟବହାର ନିୟମିତ ଏବଂ ସଠିକ୍ ଭାବରେ କରିବା ଜରୁରୀ ।
• ଦିନକୁ ଦୁଇଥର ମୁହଁ ଧୁଅନ୍ତୁ ।
• ତୈଳାକ୍ତ ଏବଂ ରାସାୟନଯୁକ୍ତ କସମେଟିକ୍ସରୁ ଦୂରେଇ ରୁହନ୍ତୁ ।
• ମୁହଁକୁ ବାରମ୍ବାର ହାତରେ ସ୍ପର୍ଶ କରନ୍ତୁ ନାହିଁ ।
• ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ । ଏହା ସହିତ ପ୍ରଚୁର ପାଣି ପିଅନ୍ତୁ ।
• ସଫା ତକିଆ ଏବଂ ତଉଲିଆ ବ୍ୟବହାର କରନ୍ତୁ ।
• ଚାପରୁ ଦୂରେଇ ରୁହନ୍ତୁ ଏବଂ ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ ।